ସଲମାନ୍‌ଙ୍କ ଅଫରକୁ ନାଁ କରିଥିବା ଶ୍ରଦ୍ଧା ଅମିତାଭଙ୍କ ସହ କରିଥିଲେ ଡେବ୍ୟୁ

ବର୍ତ୍ତମାନ ସମୟରେ ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା କପୁର। ‘ହାଇଦର’, ‘ଆଶିକି-୨’, ‘ସ୍ତ୍ରୀ’ ପରି ସଫଳ ଫିଲ୍ମରେ ସୁନ୍ଦର ଅଭିନୟ ପାଇଁ ସେ ବେଶ୍‌ ପରିଚିତ। ଷ୍ଟାର କିଡ୍‌ ହୋଇ ମଧ୍ୟ ଶ୍ରଦ୍ଧା ନିଜର ଦକ୍ଷତା ବଳରେ ବଲିଉଡ୍‌ରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ବଲିଉଡ୍‌ରେ ଏହି ଅଭିନେତ୍ରୀଙ୍କ ପ୍ରିୟ କଳାକାର ହେଉଛନ୍ତି ଅମିତାଭ ବଚ୍ଚନ। ତାଙ୍କ ସହ ଶ୍ରଦ୍ଧା ନିଜର ଅଭିନୟ କ୍ୟାରିୟର ମଧ୍ୟ ଆରମ୍ଭ କରିଥିଲେ। ୨୦୧୦ରେ ରିଲିଜ୍‌ ହୋଇଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ତିନ୍‌ ପତି’ ମଧ୍ୟମରେ ଶ୍ରଦ୍ଧା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କର ଏକ ଛୋଟିଆ ଚରିତ୍ର ରହିଥିଲା। ମାତ୍ର ଫିଲ୍ମଟି ସେତେଟା ସଫଳତା ପାଇପାରି ନ ଥିଲା। ଫଳରେ ଶ୍ରଦ୍ଧା ଲୋକଲୋଚନକୁ ଆସିପାରି ନ ଥିଲେ। ଫିଲ୍ମ ‘ତିନ୍‌ ପତି’ ପୂର୍ବରୁ ଶ୍ରଦ୍ଧାଙ୍କୁ ଆଉ ଏକ ଫିଲ୍ମରେ ଅଫର ମିଳିଥିଲା। ସେତେବେଳେ ସେ ମାତ୍ର ୧୬ ବର୍ଷର ହୋଇଥିଲେ। ସ୍କୁଲରେ ଏକ ନାଟକରେ ଶ୍ରଦ୍ଧାଙ୍କୁ ଦେଖିବା ପରେ ସଲମାନ୍‌ ଖାନ୍‌ ତାଙ୍କୁ ଏକ ଫିଲ୍ମ ପାଇଁ ଅଫର ଦେଇଥିଲେ। ମାତ୍ର ସେତେବେଳେ ଶ୍ରଦ୍ଧା ମନୋବୈଜ୍ଞାନିକ ହେବାକୁ ଚାହୁଁଥିବାରୁ ଉକ୍ତ ଅଫରକୁ ଗ୍ରହଣ କରି ନ ଥିଲେ।

Share