Categories: ଖେଳ

ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଥିବା କୋହଲିଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ଦେଶର ଅନ୍ୟ ସେଲିବ୍ରିଟିଙ୍କଠାରୁ ଢେର୍‌ ଅଧିକ। ଡଫ୍‌ ଆଣ୍ଡ୍‌ ଫେଲେପ୍ସ ପକ୍ଷରୁ କରାଯାଇଥିବା ଏକ ସର୍ଭେ ମୁତାବକ ବ୍ରାଣ୍ଡ୍‌ ଭାଲ୍ୟୁରେ ଦେଶର ଅନ୍ୟ ସେଲିବ୍ରିଟିଙ୍କଠାରୁ କୋହଲି ସର୍ବାଗ୍ରେ ଅଛନ୍ତି। ଲଗାତର ତୃତୀୟଥର ପାଇଁ କୋହଲି ଏହି ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହି ମାମଲାରେ ସେ କେବଳ କ୍ରିକେଟ ନୁହେଁ, ବଲିଉଡ ଅଭିନେତା ଅକ୍ଷୟ କୁମାର, ଦୀପିକା ପାଦୁକୋନ, ରଣବୀର ସିଂ, ସଲମାନ ଖାନ୍‌ ଏବଂ ଶାହରୁଖ ଖାନଙ୍କ ଭଳି ସେଲିବ୍ରିଟିଙ୍କୁ ପଛରେ ପକାଇଛନ୍ତି। ବିରାଟଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ୨୦୧୯ରେ ୩୯ ପ୍ରତିଶତ ବୃଦ୍ଧି ପାଇ ୧୬୯୧ କୋଟି ଟଙ୍କାରେ ପହଞ୍ଚିଛି। ବଡ ବଡ ବ୍ରାଣ୍ଡର ଆମ୍ବାସାଡର ଥିବା କୋହଲି ନିଜର ମଧ୍ୟ ବିଭିନ୍ନ ବ୍ରାଣ୍ଡ ଖୋଲିସାରିଲେଣି। ବ୍ରାଣ୍ଡ ଭାଲ୍ୟୁରେ କ୍ରିକେଟରମାନଙ୍କ ମଧ୍ୟରେ କୋହଲି ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରହିଛନ୍ତି। ସେ ଏବେ କ୍ରିକେଟରୁ ଦୂରେଇ ରହିଥିଲେ ମଧ୍ୟ ତାଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ କମିନାହିଁ। ଏହି ତାଲିକାର ତୃତୀୟ ସ୍ଥାନରେ ସଚିନ ତେନ୍ଦୁଲକର ଚତୁର୍ଥ ସ୍ଥାନରେ ରୋହିତ ଶର୍ମା ଅଛନ୍ତି।

Share