ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୨୮ା୧- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ମୟୂରଭଞ୍ଜ ଜିଲା ବାରିପଦାର ସୁନଗଡିଆସ୍ଥିତ ବାସଭବନରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ବାଲେଶ୍ୱର ଜିଲା ସୋରଠାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ବେହେରାଙ୍କ କାର୍ଯ୍ୟାଳୟରେ ଗତ ୧୦ ଡିସେମ୍ବରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେତେବେଳେ ବେହେରାଙ୍କ ଏହି ବାସଭବନରେ ତାଲା ପଡ଼ିଥିବାରୁ ଚଢ଼ାଉ ହୋଇ ପାରି ନ ଥିଲା। ଦୀର୍ଘଦିନ ପରେ ମଙ୍ଗଳବାର ସୁନଗଡିଆସ୍ଥିତ ୩ ମହଲା ବିଶିଷ୍ଟ କୋଠାଘରେ ବାରିପଦା ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି। ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ସୋର କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ତେବେ ଯନ୍ତ୍ରୀଙ୍କ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

Share