ସହଜରେ ବିମାନ ବନ୍ଦରରୁ ମିଳିପାରିବ ହଜିଯାଇଥିବା ସାମଗ୍ରୀ

ଭୁବନେଶ୍ୱର, ୬।୮(ବ୍ୟୁରୋ): ବିମାନ ବନ୍ଦରରେ ଛାଡ଼ି ଚାଲି ଆସିଥିବା ବା ହଜିଯାଇଥିବା ଜିନିଷପତ୍ର ଅତି ସହଜରେ ପାଇପାରିବେ ଯାତ୍ରୀ। ଏଥିପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ପଦକ୍ଷେପ ଗ୍ରହଣ କରିଛି। ହଜି ଯାଇଥିବା ଜିନିଷପତ୍ରର ଫଟୋ ସହ ତଥ୍ୟ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଏଣିକି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଏହି ସେବା ମିଳିପାରିବ ବୋଲି ଏହାର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି। ତାଙ୍କ ସୂଚନାନୁସାରେ, ଏଥିପାଇଁ ଯାତ୍ରୀମାନେ www.aai.aero/en/lost-found/item-list ଲିଙ୍କ୍‌ରେ ଯାଇ ହଜାଇଥିବା ଜିନିଷକୁ ଦେଖିପାରିବେ। ନିଖୋଜ ଜିନିଷଟିକୁ ଚିହ୍ନିବା ପରେ ଓ୍ବେବ୍‌ସାଇଟ୍‌ ପେଜ୍‌ର ଡାହାଣ ପାର୍ଶ୍ୱରେ ଥିବା ଏକ ଲିଙ୍କ୍‌ରେ ଅଭିଯୋଗ କରିପାରିବେ। ଏଥିପାଇଁ ଆବଶ୍ୟକ କାଗଜପତ୍ର ଯଥା- ଯାତ୍ରା ଟିକଟ, ପରିଚୟ ପତ୍ର (୨୦୦କେ.ବି. ମଧ୍ୟରେ) ଅପ୍‌ଲୋଡ୍‌ କରିବାକୁ ହେବ। ପରେ ବିମାନ ବନ୍ଦରର ‘ନିଖୋଜ ଓ ସନ୍ଧାନ’ ବିଭାଗରୁ ଯାଞ୍ଚ କରାଯାଇ ନିଶ୍ଚିତ କରାଯିବ। ଏହାପରେ ଆବଶ୍ୟକ କାଗଜପତ୍ର ସହ ଯାତ୍ରୀମାନେ ସୋମବାରରୁ ଶୁକ୍ରବାର ସକାଳ ୯ଟା ୩୦ରୁ ଅପରାହ୍ନ ୫ଟା ୩୦ ସମୟ ମଧ୍ୟରେ ବିମାନ ବନ୍ଦରରେ ପହଞ୍ଚତ୍ ସେମାନଙ୍କ ଜିନିଷଟିକୁ ନେଇ ପାରିବେ। ସମ୍ପୃକ୍ତ ଯାତ୍ରୀଙ୍କ ବଦଳରେ ଅନ୍ୟ କେହି ଜିନିଷପତ୍ର ଗ୍ରହଣ ପାଇଁ ଗଲେ ଅଧିକାରକ ପତ୍ର ଆବଶ୍ୟକ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ହୋତା ଜଣାଇଛନ୍ତି।

Share