Categories: ଜାତୀୟ

ସହପାଠିନୀଙ୍କୁ ପୋଡ଼ିମାରିବା ଘଟଣା : ପୁରୁଷ ବନ୍ଧୁଙ୍କୁ ଫାଶୀଦଣ୍ଡ

ଗୁଆହାଟୀ, ୪ା୮(ପି.ଟି.): ଆସାମର କାମ୍‌ରୂପ ଜିଲାରେ ଜଣେ କଲେଜ ଛାତ୍ରୀଙ୍କୁ ଜିଅନ୍ତା ପୋଡ଼ି ମାରିଦେବା ଘଟଣାରେ ସ୍ଥାନୀୟ ଅଦାଲତ ପୁରୁଷ ବନ୍ଧୁଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବାବେଳେ ତାଙ୍କ ମା’ ଓ ଭଉଣୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।
ପ୍ରକାଶ, ଶ୍ୱେତା ଅଗ୍ରଓ୍ବାଲ୍‌ ନାମକ ଜଣେ ଛାତ୍ରୀଙ୍କୁ ଅତି ନିର୍ମମଭାବେ ପୋଡ଼ି ହତ୍ୟା କରାଯାଇଥିଲା। ଶ୍ୱେତାଙ୍କ ରକ୍ତାକ୍ତ ମରଶରୀର ଗତ ୨୦୧୭ ଡିସେମ୍ବର ୪ରେ ଗୋବିନ୍ଦ ସିଂଘଲଙ୍କ ଘରୁ ମିଳିଥିଲା। ଗୋବିନ୍ଦ ଓ ଶ୍ୱେତା ଗୋଟିଏ କଲେଜରେ ସେତେବେଳେ ପାଠ ପଢୁଥିଲେ। ପରୀକ୍ଷା ଶେଷହେବା ପରେ ଗୋବିନ୍ଦ ଶ୍ୱେତାଙ୍କୁ ନିଜ ଘରକୁ ଆଣିଥିଲେ। ପୋଲିସ ଏହି ହତ୍ୟାକାଣ୍ଡର ଖୋଳତାଡ଼୍‌ କରିବା ପରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲା। ଏହି ମାମଲାରେ କାମରୂପର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ଅପରେଶ ଚକ୍ରବର୍ତ୍ତୀ ଶନିବାର ଅଭିଯୁକ୍ତ ଗୋବିନ୍ଦଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇ ଥିବାବେଳେ ତାଙ୍କ ମା’ କମଳାଦେବୀ ଓ ଭଉଣୀ ଭବାନୀଙ୍କୁ ଆପରାଧୀକ ଷଡ଼ଯନ୍ତ୍ର ଓ ତଥ୍ୟ ଲୁଚାଇବା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Share