‘ସହଯୋଗ ଦିଅ, ନିଜେ ନିଜକୁ ଲକ୍‌ଡାଉନ କର’

ବାରିପଦା ଅଫିସ, ୨୪ା୩- କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି। ସମସ୍ତେ ଏଥିଲାଗି ସ୍ବାସ୍ଥ୍ୟ ପ୍ରତି ସଚେତନ ରହି ସ୍ବଚ୍ଛତା ରକ୍ଷା କରିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ଲାଗି ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ସୋମବାର ଜିଲାବାସୀଙ୍କୁ ନିବେଦନ କରିଛନ୍ତି। ଏପରିକି ଲୋକେ ନିଜେ ନିଜକୁ ଲକ୍‌ଡାଉନ କରି ପ୍ରଶାସନକୁ ସହଯୋଗ କରିବା ଉଚିତ ବୋଲି ଏକ ଖବରଦାତା ସମ୍ମିଳନୀରେ ସେ କହିିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାକୁ ବାହାର ଅଞ୍ଚଳରୁ ଆସିଥିବା ୪୫ରୁ ୫୦ ଜଣଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେଣୁ ଜିଲା ପ୍ରତି ସେଭଳି କିଛି ବିପଦ ନାହିଁ। କରୋନା ମୁକାବିଲା ଲାଗି ଗଠିତ ସ୍କ୍ବାଡ଼ କ୍ୱାରାଣ୍ଟାଇନରେ ରହିଥିବା ଲୋକଙ୍କ ସମ୍ପର୍କରେ ପ୍ରତି ଦିନ ଟିକିନିଖି ଖବର ରଖୁଛନ୍ତି। ଯାତାୟାତ ଓ ପରିବହନ ବ୍ୟବସ୍ଥା ଉପରେ କଟକଣା ଲାଗୁ ପରେ ରାଶନ ସାମଗ୍ରୀର ଅଭାବ ଯେଭଳି ପରିଲକ୍ଷିତ ନ ହେବ ସେଥିଲାଗି ଦୃଷ୍ଟି ରଖାଯାଇଛି। ବର୍ତ୍ତମାନ ଜିଲାରେ ଯଥେଷ୍ଟ ରାଶନ ସାମଗ୍ରୀ ମହଜୁଦ୍‌ ରହିଛି। କଳାବଜାର ରୋକିବା ସକାଶେ ସ୍କ୍ବାଡ ଗଠନ କରାଯାଇଛି। ଜିଲାବାସୀ ଏଥିଲାଗି ଭୟଭୀତ ନ ହେବାକୁ ଜିଲାପାଳ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଜରୁରିକାଳୀନ ଅଧିକାରୀ ସୁଜୟ କୁମାର ପତି, ଆଇଏଏସ୍‌ ପ୍ରୋବେଶନର ଭୁବନେଶ ଦେବୀଦାସ ପାଟିଲ ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।

Share