ସହଯୋଗ ଭିତ୍ତିରେ ଭୂତାଣୁକୁ ରୋକ

ନୂଆଦିଲ୍ଲୀ,୨୮ା୩: ଭାରତରେ କରୋନା ଭାଇରସ୍‌ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ଏଥିଲାଗି ସମସ୍ତେ ତତ୍ପର। ଆତ୍ମ ସଂଯମ ଓ ସହଯୋଗ ଦ୍ୱାରା ଏହାକୁ ରୋକାଯାଇ ପାରିବ। ବିଶେଷକରି ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ ଓ ସମସ୍ତ ପ୍ରଶାସନିକ ଅଧିକାରୀ ଏକ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡ଼ୁ। ଏମାନେ ସ୍ବେଚ୍ଛାକୃତ ଭାବେ ଧାର୍ମିକ ସଙ୍ଗଠନଗୁଡ଼ିକୁ ଏକାଠି କରି ସହଯୋଗର ହାତ ବଢ଼ାଇବା ଜରୁରୀ। ଏମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଓ ସରକାରୀ କଟକଣାକୁ ମାନିବା ଲାଗି ସଂଯମତାର ସହ କାମ କରିବା ଉଚିତ। ସେମାନଙ୍କ ଲାଗି ସହଯୋଗ ଓ ସହାୟତାର ବାଟ ଦେଖାଇବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ ନିରାଶ୍ରୟଙ୍କ ସହାୟତା ଲାଗି ସେ ଅନୁରୋଧ କରିଛନ୍ତି। ମହାମାରୀକୁ ରୋକିବା ଓ ଅସହାୟଙ୍କୁ ସହଯୋଗ କରିବା ଲାଗି ଅକୁଣ୍ଠ ଦାନ କରିବା ଲାଗି ମଧ୍ୟ ସେ ଅନୁରୋଧ କରିଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ରେଡ୍‌କ୍ରସ, ପୋଲିସ, ପାରାମେଡିକାଲ ଷ୍ଟାଫ୍‌, ମେଡିକାଲ ପ୍ରଫେଶନାଲ, ଅବସରପ୍ରାପ୍ତ ଡାକ୍ତର, ଏମ୍‌ବିବିଏସ୍‌ ଛାତ୍ରମାନେ ଏନେଇ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମିଳିତ ସହଯୋଗ ଓ ସଂଯମତା ଆମକୁ ଏହି ମହାଯୁଦ୍ଧରୁ ବିଜୟ ଆଣିଦେବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ପ୍ରଶାସନିକ ଅଧିକାରୀମାନେ ଏହି ଅବସରରେ ରାଷ୍ଟ୍ରପତିଙ୍କ ସହ ଭିଡିଓକନ୍‌ଫରେନ୍ସିଂ ଜରିଆରେ ବାର୍ତ୍ତାଳାପ ମଧ୍ୟ କରି ବିଭିନ୍ନ ଟିପ୍ସ ଦେଇଥିଲେ।

Share