ସହରଠୁ ୩ କି.ମି. ଦୂର ଗୁମିକୁ ରାସ୍ତା ନାହିଁ

ଫୁଲବାଣୀ ଅଫିସ, ୨୪ା୧୨- ବିଶ୍ୱାସ ହେଉ ନ ଥିଲେ ବି ସତ୍ୟ। ଫୁଲବାଣୀ ସହରଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଗଁ। ଗୁମିକୁ ସବୁଦିନିଆ ପକ୍କା ରାସ୍ତା ନାହିଁ। ଲୋକେ ଯାତାୟତ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବର୍ଷା ଦିନେ ଏହା ଫୁଲବାଣୀ ସହରରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଉଛି। ଗ୍ରାମରେ ଅନ୍ୟ ସୁବିଧା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲେ ହେଁ, ପ୍ରମୁଖ ସମସ୍ୟା ରାସ୍ତା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୋଭ। ଖାଲି ନିର୍ବାଚନବେଳେ ସବୁ ପ୍ରତିଶ୍ରୁତି, ସରିଗଲେ କାହାରି ପାଦ ଏଠାରେ ପଡେନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି।
ଯେ, ଫୁଲବାଣୀ ସହରଠାରୁ ଗୁମି ପାଖ ହୋଇଥିଲେ ମଧ୍ୟ ଏହା ଖଜୁରିପଡା ବ୍ଲକ ପିରିକୁଡି ପଞ୍ଚାତରେ ଯାଉଛି। ଗ୍ରାମରେ ରହିଛନ୍ତି ମୋଟ ୧୮ ପରିବାର। ଲୋକ ସଂଖ୍ୟା ୧୫୦ରୁ ଊର୍ଦ୍ଧ୍ୱ। ଚାଷ ଏବଂ ମୂଲ ଲାଗି ଲୋକେ ଚଳନ୍ତି। ଗ୍ରାମର ମୁଖ୍ୟସମସ୍ୟା ରାସ୍ତା ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନାହାନ୍ତି। ଗ୍ରାମର ଶେଷ ମୁଣ୍ଡ ଜଙ୍ଗଲ ପାହାଡ ରାସ୍ତା ଦେଇ ୩ କି.ମି. ଗଲେ ଏବଂ ଗ୍ରାମରୁ ପାଦଚଲା ରାସ୍ତାରେ ଆସି ଫୁଲବାଣୀ ଏଫ୍‌ସିଆଇ ଛକ ଦେଇ ପ୍ରାୟ ୮ କିମି ଗଲେ ପିରିକୁଡି ପଞ୍ଚାୟତ କାର୍ଯ୍ୟାଳୟ ପଡେ। ଭତ୍ତା, ଚାଉଳ ପାଇଁ ବୃଦ୍ଧାବୃଦ୍ଧ ବହୁ କଷ୍ଟରେ ଯାଆନ୍ତି। ଭତ୍ତା କିମ୍ବା ଚାଉଳ ପାଇଁ ଗଲେ ଦିନଟିଏ ବିତି ଯାଉଛି। ପାହାଡ ରାସ୍ତାରେ ଟିକେ ଅସାବଧାନ ହେଲେ ବିପଦ। ବର୍ଷାଦିନେ କାହା ଦେହ ଖରାପ ହେଲେ ଭାରରେ ବୋହି ନେଇ ପାଖ ଗ୍ରାମକୁ ଯାଉ, ସେଠାରୁ ଆମ୍ବୁଲାନ୍ସ ଆସି ନିଏ। ସ୍କୁଲ ଗୋଟିଏ ଥିଲା, ତାହା ମଧ୍ୟ ବନ୍ଦ ହୋଇ ଯାଇଛି। ପରିସ୍ଥିତି ଏପରି ହେଲାଣି ଆମ ଗ୍ରାମକୁ ଆଉ କେହି ଝିଅ ଦେବାକୁ ରାଜି ହେଉ ନାହାନ୍ତି। ସମସ୍ୟା ନେଇ ଆମେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଅବଗତ କରିଛୁ। ସେମାନେ ହଁ କହୁଛନ୍ତି, ହେଲେ କାହିଁକି ରାସ୍ତା ହୋଇପାରୁନାହିଁ ତାହା ଆମେ ବି ଜାଣି ପାରୁନୁ ବୋଲି ଗ୍ରାମର ଧ୍ରୁବ କହଁର, ଉପେନ୍ଦ୍ର କହଁର, ସୁକୁମାରି କହଁର ପ୍ରମୁଖ କହିଛନ୍ତି। ଏ ନେଇ ବିଡିଓ ରବୀନ୍ଦ୍ରନାଥ କହଁରଙ୍କୁ ପଚାରିବାରୁ ମୁଁ ଏବେ ନୂଆ ଆସିଛି, କ’ଣ ସମସ୍ୟା ରହିଛି, କାହିଁକି ରାସ୍ତା ହୋଇପାରୁନାହିଁ ତାହା ବୁଝିଲା ପରେ କହିବି ବୋଲି କହିଛନ୍ତି।

Share