Categories: ରାଜ୍ୟ

ସହରରେ ବଢ଼ୁଛି ଯାଯାବରଙ୍କ ସଂଖ୍ୟା

ଅନୁଗୋଳ ଅଫିସ, ୨୩।୭ ଅନୁଗୋଳ ସହରରେ ଦିନକୁ ଦିନ ଯାଯାବରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ସ୍ଥାନରେ ଏମାନେ ଅସ୍ଥାୟୀ ଶିବିର କରି ସେଠାରେ ରହୁଛନ୍ତି। କିଛି ନିଜ ପେଟ ପାଟଣା ପାଇଁ କାମ କରୁଛନ୍ତି ତ ଆଉ କେତେଜଣ ଛୋଟ ପିଲାଙ୍କୁ ଧରି ଯାବତୀୟ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏଭଳି କାର୍ଯ୍ୟ କରୁଥିଲେ ମଧ୍ୟ ପୋଲିସ କି ପ୍ରଶାସନର କାହାରି ନିଘା ନାହିଁ। ଏପରି କି ଏହି ଯାଯାବରମାନଙ୍କ ସୁରକ୍ଷା ଦାୟିତ୍ୱ କାହାର ସେ ନେଇ କେହି ମୁହଁ ଖୋଲୁନାହାନ୍ତି।
ସହରର ବାଳସୁଧାର ଗୃହ ନିକଟରେ ଥିବା ପିଟିସି ପଡ଼ିଆରେ ପାଖାପାଖି ୧୫ ଯାଯାବର ପରିବାର ଅସ୍ଥାୟୀ ଭାବେ ବସବାସ କରୁଛନ୍ତି। ସେହିପରି ହୁଲୁରିସିଂହା, ପଞ୍ଚମହଲା ଆଦି ଅଞ୍ଚଳରେ ମଧ୍ୟ କେତୋଟି ପରିବାର ରହୁଥିବା ଦେଖାଯାଉଛି। ଏମାନେ ସାଧାରଣତଃ ମହାରାଷ୍ଟ୍ରର ନାଗପୁର, ଉତ୍ତରପ୍ରଦେଶର ସୋନଭଦ୍ର, ଝାଡ଼ଖଣ୍ଡ ଆଦି ଅଞ୍ଚଳରୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ବେଳେ ଆଉ କେତେଜଣ ସହରରେ ବୁଲି କିଛି କାମଧନ୍ଦା କରୁଛନ୍ତି। ତେବେ ଯେଉଁ ଅଞ୍ଚଳରେ ସେମାନେ ରହୁଛନ୍ତି, ସେଠାରେ ବସ୍ତି ତିଆରି ହୋଇଯାଉଛି। ଏପରି କି ପ୍ରଶାସନ ସେମାନଙ୍କୁ ଉଠାଇବାକୁ ଉଦ୍ୟମ କରୁନି। କେତେଜଣ ସହରବାସୀଙ୍କ କହିବା ଅନୁଯାୟୀ, ଯାଯାବରମାନଙ୍କ ମଧ୍ୟରୁ ଅନେକ ମଧ୍ୟାହ୍ନ ଓ ରାତିରେ ଚୋରି କରୁଛନ୍ତି। ବାହାରେ ଲୁଗାପଟା ଶୁଖାଇଲେ କି ଝରକା ପାଖରେ ମୋବାଇଲ ରଖିଲେ ନେଇଯାଉଛନ୍ତି। ପିଲାଙ୍କୁ ନେଇ ଘର ପାଖରେ ବୁଲାବୁଲି କରୁଥିବା କିଛି ମହିଳା ଖାଇବା ପାଇଁ ମାଗୁଛନ୍ତି। ତେବେ ସୁଯୋଗ ପାଇବା ମାତ୍ରେ ସେମାନେ ଲୁଗାପଟା ଠାରୁ ଆରମ୍ଭ କରି ବିଭିନ୍ନ ଦାମୀ ସାମଗ୍ରୀ ଚୋରି କରି ପଳାଇ ଯାଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ସେହିପରି ଅସ୍ଥାୟୀ ବସ୍ତିରେ ମଧ୍ୟ କେତେଜଣ ଦେହ ବ୍ୟବସାୟରେ ଲିପ୍ତ ରହୁଥିବା ଭଳି ଅଭିଯୋଗ ବଢ଼ିବାରେ ଲାଗିଛି। କେତେଜଣ ଦଲାଲ ଗ୍ରାହକ ଯୋଗାଡ଼ କରି ସେମାନଙ୍କୁ ଯାଯାବର ବସ୍ତିରେ ଛାଡ଼ି ଦେଉଛନ୍ତି। ଏଥିରେ ଦଲାଲଙ୍କ ସହ ଯାଯାବର ମହିଳାଙ୍କୁ ମଧ୍ୟ କିଛି ଅର୍ଥ ମିଳିଯାଉଛି। ଏ ନେଇ ପୋଲିସ ନିକଟରେ ଖବର ଥିଲେ ମଧ୍ୟ କୌଣସି ଅଭିଯୋଗ ହେଉ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତବର୍ଷ ବ୍ୟାଙ୍କ ଡକାୟତି ଘଟଣା ପରେ ସହରରୁ ଯାଯାବରମାନଙ୍କୁ ପୋଲିସ ତଡି ଦେଇଥିଲା। ଏହାର କିଛି ଦିନ ପରେ ପୁଣି ଆସି ସେମାନେ ଅନୁଗୋଳକୁ ଚାଲି ଆସିଥିଲେ। ତେବେ ଯାଯାବରଙ୍କ ସୁରକ୍ଷା ଓ ଥଇଥାନ ସମ୍ପର୍କରେ କିଛି ଜାଣି ନ ଥିବା ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି। ତଥାପି ସେମାନଙ୍କୁ ସହରରୁ ବିଦା କରାଯିବ କି ନାହିଁ ତାହା ପ୍ରଶାସନ ସ୍ତରରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Share