ସହରରେ ବି ସେମାନଙ୍କୁ ସ୍ବପ୍ନ: ଦୁଇ ବୃଦ୍ଧାଙ୍କୁ ମିଳିପାରୁନି ରାଶନ କାର୍ଡ଼, ଆବାସ, ବିଜୁଳି

କଟକ ଅଫିସ,୧୭ା୬: ପ୍ରଶାସନିକ କାର୍ଯ୍ୟାଳୟଠାରୁ ଦୂରରେ ଥିବା ଗ୍ରାମାଞ୍ଚଳରେ ସରକାରୀ ସୁବିଧା ଅପହଞ୍ଚ ଥିବା ସମସ୍ତେ ଜାଣନ୍ତି। କିନ୍ତୁ ଖୋଦ୍‌ ସହରରେ ଯଦି ସାଧାରଣ ଲୋକ ତାହା ପାଇବାରୁ ବଞ୍ଚତ୍ତ ହୁଅନ୍ତି, ତେବେ ଏଥିରେ ବ୍ୟବସ୍ଥାର ଦୋଷ ବୋଲି ଧରାଯିବ। କଟକ ମହାନଗର ନିଗମ (ସିଏମ୍‌ସି)ର ୨ ଜଣ ବୃଦ୍ଧା ହେଉଛନ୍ତି ତାହାର ଉଦାହରଣ। ସେମାନଙ୍କ ପାଇଁ ରାଶନ କାର୍ଡ଼, ଆବାସ ଓ ବିଜୁଳି ଏବେମଧ୍ୟ ସ୍ବପ୍ନ ହୋଇ ରହିଛି।
ସିଏମ୍‌ସିର ୧୮ ନଂ ୱାର୍ଡ ଓଡ଼ିଆ ବଜାର ଅଞ୍ଚଳର ଧନ୍ନାଲ ଚିନ୍ନାମାଙ୍କ ବୟସ ୭୫ ଛୁଇଁଲାଣି। ତାଙ୍କର ୩ ଝିଅ ଓ ଗୋଟିଏ ପୁଅ। ତିନି ଝିଅକୁ ବାହା ଦେଇଛନ୍ତି। କିନ୍ତୁ ପୁଅର ଅକାଳ ମୃତ୍ୟୁ ପରେ ବହୁ କଷ୍ଟରେ ଏକାକୀ ଚଳୁଛନ୍ତି। ଭତ୍ତା ଟଙ୍କାରେ ଚଳିବା ତାଙ୍କୁ ନିଅଣ୍ଟ ହେୁଛି। ସିଏମ୍‌ସି କାର୍ଯ୍ୟାଳୟକୁ ରାଶନ କାର୍ଡ ପାଇଁ ଆବେଦନ କରିବାକୁ ଗଲେ ତାହା ହୋଇପାରୁନାହିଁ। ଆବାସ ଯୋଜନାରେ ଘର କିମ୍ବା ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ମିଳୁନାହିଁ। ନୂଆଣିଆ ଘର ବର୍ଷାରେ କେତେବେଳେ ଧସିଯିବ କହିହେବ ନାହିଁ। ସେହିପରି ଓଡ଼ିଆ ବଜାର ଅନ୍ତର୍ଗତ ତନ୍ତୀସାହିର ନରଣା ଆମ୍ମା। ଦୁଇ ବିଧବା ଝିଅଙ୍କ ସହ ସେ ଏକ ଛୋଟିଆ ଘରେ ରୁହନ୍ତି। ବୟସ ୮୫ ବର୍ଷ। ତଥାପି ତାଙ୍କୁ ରାଶନ କାର୍ଡ଼ କିମ୍ବା ବିଜୁଳି ସଂଯୋଗ ମିଳିନାହିଁ। ୧୮ ନଂ ୱାର୍ଡର ପୂର୍ବତନ କର୍ପୋରେଟର ଅରୁଣ ସେଠୀ କହିଛନ୍ତି, ରାଶନ କାର୍ଡ ପାଇଁ ସେ ନିଜେ ବହୁବାର ସିଏମ୍‌ସିକୁ ଯାଇଛନ୍ତି। କିନ୍ତୁ କୌଣସି ତ୍ରୁଟି ଦେଖାଇ ପୁଣି ଥରେ ଆବେଦନ କରିବାକୁ କୁହାଯାଉଛି। ଏହିଭଳି ୧ ବର୍ଷ ବିତିଗଲାଣି।

Share