ସହାୟତାର ହାତ ବଢ଼ାଇଲା ‘ଓଡ଼ିଶା ମୋ ପରିବାର’: ପଞ୍ଜାବରୁ ଫେରିଲେ ଫସି ରହିଥିବା ୬୯ ଓଡ଼ିଆ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଞ୍ଜାବର ଭଟିଣ୍ଡାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡ଼ିଆ ଛାତ୍ରୀଛାତ୍ରମାନେ ‘ଓଡ଼ିଶା ମୋ ପରିବାର’ ସହାୟତାରେ ଓଡ଼ିଶା ଫେରିଛନ୍ତି। ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ତାଙ୍କ ନିର୍ବାଚନମଣ୍ଡଳୀର ୫ଜଣ ଛାତ୍ରଙ୍କ ସହିତ ଓଡ଼ିଶାର ମୋଟ୍‌ ୧୪୦ ଛାତ୍ରୀଛାତ୍ର ଏହି ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିବା ସହିତ ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ। ଏହା ଜଣାପଡ଼ିବା ପରେ ତୁରନ୍ତ ଘଟଣା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା। ସେଠାରୁୁ ନୂଆଦିଲ୍ଲୀଠାରେ ଥିବା ସ୍ବତନ୍ତ୍ର ଆବାସିକ ଆୟୁକ୍ତ ରବି କାନ୍ତଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ କୁହାଯାଇଥିଲା। ଏହାପରେ ସେ ତୁରନ୍ତ ରେଳବାଇ ବୋର୍ଡ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଏହି ଛାତ୍ରୀଛାତ୍ରଙ୍କୁ ଓଡ଼ିଶା ଫେରିବା ପାଇଁ ସୁରକ୍ଷିତ ବ୍ୟବସ୍ଥା କରିବାକୁ କହିଥିଲେ। ଓଡ଼ିଶା ଫେରିବା ପାଇଁ ୩୫ଜଣ ଛାତ୍ରୀଙ୍କ ସହିତ ମୋଟ୍‌ ୬୯ଜଣଙ୍କ ଲାଗି ମାର୍ଚ୍ଚ ୧୭ ତାରିଖ ଦିନ ଭଟିଣ୍ଡାରୁ ନୂଆଦିଲ୍ଲୀ ରେଳଷ୍ଟେଶନ ପର୍ଯ୍ୟନ୍ତ ସ୍ବତନ୍ତ୍ର ବସ୍‌ ବ୍ୟବସ୍ଥା ହୋଇଥିଲା। ସ୍ବତନ୍ତ୍ର ଆବାସିକ ଆୟୁକ୍ତ ରବି କାନ୍ତ ନିଜେ ବ୍ୟକ୍ତଗତ ଭବେ ନୂଆଦିଲ୍ଲୀ ରେଳଷ୍ଟେଶନରେ ଉପସ୍ଥିତ ରହି ଛାତ୍ରୀଛାତ୍ରମାନେ ଆସିବାକୁ ଥିବା ବଗିକୁ ସାନିଟାଇଜ କରାଇଥିଲେ। ଛାତ୍ରୀଛାତ୍ରମାନେ ପୁରୁଷୋତ୍ତମ ଏକ୍ସପ୍ରେସର ଉକ୍ତ ବଗିରେ ଆସି ଗୁରୁବାର ସକାଳ ୪ଟା ୨୦ରେ ଭୁବନେଶ୍ୱର ରେଳଷ୍ଟେଶନରେ ପହଞ୍ଚିବାପରେ ଓଡ଼ିଶା ମୋ ପରିବାରର ଆବାହକ ଓ ସ୍ଥାନୀୟ ଜନପ୍ରତିନିଧିମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ଛାତ୍ରୀଛାତ୍ରମାନଙ୍କୁ ସ୍ଥାନୀୟ ପାନ୍ଥନିବାସକୁ ନିଆଯାଇଥିଲା। ସେଠାରେ ଡକ୍ଟର ଗୋପବନ୍ଧୁ ଦାସ ଓ ଓଟିଡିସିର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମୟୀ ମିଶ୍ର ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପାନ୍ଥନିବାସଠାରେ ଛାତ୍ରୀଛାତ୍ରଙ୍କୁ ଜଳଖିଆ ଦିଆଯିବା ପରେ ଓଡ଼ିଶା ମୋ ପରିବାର ତରଫରୁ ସେମାନଙ୍କ ସହିତ କରୋନା ସଚେତନତା ନେଇ ଆଲୋଚନା କରାଯିବା ସହିତ ସତର୍କ ହୋଇ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହାପରେ ଛାତ୍ରୀଛାତ୍ରମାନେ ନିଜ ନିଜ ଘର ଅଭିମୁଖେ ଯାଇଥିବା ସୂଚନା ମିଳିଛି।

Share