ସହାୟତା ଅପେକ୍ଷାରେ ଅସହାୟ ପରିବାର

ରାଇସୁଆଁ ,୫।୧୧(ଡି.ଏନ.ଏ.)- ଖଣି ଖାଦାନ ଯୋଗୁ କେନ୍ଦୁଝର ଜିଲା ସଦର ଏବଂ ବାଂଶପାଳ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସହାୟତା କି ଚିକିତ୍ସା ସେବା ମିଳିପାରୁନି। ଖଣି ପ୍ରଭାବିତ କୁମୁଣ୍ଡି ପଞ୍ଚାୟତର ତଳଜାଗର ଗାଁର ଦଶୀ ଦେହୁରୀ ନାମ୍ନୀ ଜଣେ ଅସହାୟ ମହିଳା ନିଜ ରୋଗାକ୍ରାନ୍ତ ପୁଅ ଅଜୁ ପ୍ରଧାନ ଏବଂ ଜଣେ ନାତି ସହ ଭୋକ ଉପାସରେ ଦିନ ବିତାଉଛନ୍ତି। ଅର୍ଥାଭାବ କାରଣରୁ ସେ ପୁଅ ଅଜୁଙ୍କୁ ଉପଯୁକ୍ତ ଚିକିତ୍ସା କରାଇ ନ ପାରିବାରୁ ସେ ଧୀରେ ଧୀରେ ଭିନ୍ନକ୍ଷମ ହେବାରେ ଲାଗିଛନ୍ତି।
ଦଶୀ କହିଛନ୍ତି ଯେ, ଅଜୁ ୫ମ ଶ୍ରେଣୀରେ ପଢୁଥିବା ବେଳେ ସେ ହଠାତ ଅସୁସ୍ଥ ହୋଇ ପଡିଥିଲା । ହାତରେ ସମ୍ବଳ ନ ଥିବାରୁ ତାକୁ ଡାକ୍ତରୀ ଚିକିତ୍ସା କରାଇ ନ ପାରି ଚେରମୂଳି ଚିକିତ୍ସା କରିଥିଲେ। ଅଜୁ ଭଲହେବା ପରିବର୍ତ୍ତେ ଏବେ ଦିବ୍ୟାଙ୍ଗ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି । ଦଶୀଙ୍କ ସ୍ବାମୀ ୧୨ ବର୍ଷ ତଳେ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୁତ୍ୟୁମୁଖରେ ପଡିଥିଲେ । ସେବେଠାରୁ ଅସହାୟ ହୋଇପଡିଥିବା ଦଶୀଙ୍କୁ ତାଙ୍କ ବଡ଼ପୁଅ ବିଜୁ ସାହା ହୋଇଥିଲେ। ସେ ଗାଡି ଡ୍ରାଇଭର ଭାବେ କାମ କରୁଥିଲେ। ପରେ ରୋଗରେ ପଡି ୫ବର୍ଷ ହେବ ସେ ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି। ବଡ଼ପୁଅଙ୍କ ମୃତ୍ୟୁପରେ ବୋହୂ ନାତିକୁ ଛାଡି ବାପଘରକୁ ଚାଲିଯିବା ପରଠାରୁ ଦଶୀ ପରଘରେ ମୂଲମଜୁରି ଲାଗି ୩ ପ୍ରାଣୀ କୁଟୁମ୍ବକୁ ପୋଷୁଥିଲେ। ଅଜୁ ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇପଡିବା ପରଠାରୁ ସେ ଆଉ ଆଗଭଳି କାମଧନ୍ଧା କରିବାକୁ ଯାଇ ପାରୁନାହାନ୍ତି। ଏଭଳି ସ୍ଥିତିରେ ପୁଅ ଅଜୁଙ୍କୁ ଡାକ୍ତରୀ ଚିକିତ୍ସା ସୁବିଧା ସହ ସହାୟତା ଯୋଗାଇ ଦେବାକୁ ସେ ପ୍ରଶାସନକୁ ଗୁହାରି ଜଣାଇଛନ୍ତି। ଏହି ଅସହାୟ ପରିବାର ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି।