ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ସୋମନାଥ

ଚମ୍ପୁଆ, ୭।୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ହୁଡି ସାହିରେ ୧୩ ବର୍ଷ ଧରି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଭିନ୍ନକ୍ଷମ ସୋମନାଥ ମୁଣ୍ଡା ଏବେ ବି ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି। ଅର୍ଥାଭାବ କାରଣରୁ ସେ ଠିକ୍‌ ଭାବେ ଚିକିତ୍ସିତ ହୋଇ ନ ପାରି ବିଛଣାରେ ପଡ଼ିରହିଛନ୍ତି। ସୋମନାଥ କହନ୍ତି, ତାଙ୍କ ବାମଗୋଡ଼ରେ ଘା’ ହେବା ପରେ ସେ ଜିଲା ଚିକିତ୍ସାଳୟରେ ଅସ୍ତ୍ରୋପଚାର କରାଇଥିଲେ। ପରେ ଘା’ ନ ଶୁଖି ବଢ଼ିିବାରୁ ସେ କ୍ରମେ ଚାଲିବା ଶକ୍ତି ହରାଇ ଏକ ବାଉଁଶ ଠେଙ୍ଗାକୁ ଭରସା କରି ଚଳୁଛନ୍ତି। ୨୦୧୬ରେ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିଲା। ଭତ୍ତା ଲାଗି ସେବେଠାରୁ ସେ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ପ୍ରଶାସନ ତାଙ୍କୁ ଅଣଦେଖା କରିଆସିଛି। ରାଜ୍ୟ ସରକାର ଭିନ୍ନକ୍ଷମ ଓ ଅସହାୟଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାର ପ୍ରୟାସ କରୁଥିବା ବେଳେ ସୋମନାଥ ଏଥିରୁ ବଞ୍ଚତ୍ତ ହେବା ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।