ସହାୟତା ପାଇଁ ରାସ୍ତାରେ ଅଟୋ ଚାଳକ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଲକଡାଉନ୍‌ ପାଇଁ ଲୋକଙ୍କ ଜୀବନ ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ବିଶେଷ କରି ଅଟୋ ଚଲାଇ ପରିବାର ଭରଣପୋଷଣ କରୁଥିବା ଚାଳକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅଧିକାଂଶ ଅଟୋ ଚାଳକ ଋଣରେ ଅଟୋ କିଣିଛନ୍ତି। ଗୋଟିଏ ପଟେ ଋଣ ସୁଝିବା ପାଇଁ ଚିନ୍ତା ରହିଥିବାବେଳେ ଅନ୍ୟପଟେ ପରିବାର ବୋଝ ସେମାନଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସରକାରୀ ସ୍ତରରେ ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ମିଳୁଥିବାବେଳେ ଓଡିଶାରେ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଉଥିବା ଓ ନାନା ଦୁର୍ଦ୍ଦଶାରେ କାଳାତିପାତ କରୁଥିବା ଅଟୋ ଚାଳକ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟୋ ଚାଳକମାନେ ବୁଧବାର ରାସ୍ତାକୁ ଓହ୍ଲାଇ ଥିଲେ। ଭୁବନେଶ୍ୱର ଅଟୋ ମହାସଂଘ ତରଫରୁ ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହାସଂଘର କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି, ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ, ସମ୍ପାଦକ ସୁର ଜେନା, ବିଜୟ କୁମାର ପଟ୍ଟନାୟକ ଓ ପ୍ରଶାନ୍ତ ରାଉତ ପ୍ରମୁଖ ଯୋଗଦେଇ ସରକାର ଦୁର୍ଦ୍ଦିନରେ ଥିବା ଅଟୋ ଚାଳକଙ୍କୁ ମାସିକ ଅତିକମ୍‌ରେ ୫ ହଜାର ଟଙ୍କା ପ୍ରଦାନ କରିବା ସହ ବ୍ୟାଙ୍କ ଋଣରେ ସୁଧ ନ ନେବା, ଗାଡି କାଗଜପତ୍ର ପାଇଁ ସମୟ ୬ ମାସ ବୃଦ୍ଧି କରିବା ଏବଂ ବୀମା ରାଶି ଛାଡ କରିବାକୁ ଦାବି ଜଣାଇଛନ୍ତି। ଭୁବନେଶ୍ୱରର ବିଭିନ୍ନ ସଂଘର କର୍ମକର୍ତ୍ତା ଯୋଗଦେଇ ସାମାଜିକ ଦୂରତା ରକ୍ଷା କରିବା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା।

Share