ସହାୟତା ଲାଗି ଆଗେଇ ଆସିଲା ଯୁବ ସ୍ବାଭିମାନ ମଞ୍ଚ

ଖଇରା, ୧୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡରେ ସମାଜକଲ୍ୟାଣ ତଥା ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ଯୁବ ସ୍ବାଭିମାନ ମଞ୍ଚ ମହାମାରୀ କରୋନା ସମୟରେ ଅସହାୟ ଲୋକଙ୍କ ସହାୟତା ପାଇଁ ଅଣ୍ଟା ଭିଡିଛି। ପ୍ରଥମ ପଦକ୍ଷେପସ୍ବରୂପ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଝାଟିଆ ଗ୍ରାମର ଶ୍ୟାମ ସିଂଙ୍କୁ ସହାୟତାର ହାତ ବଢାଇ ସଙ୍ଗଠନର ସଦସ୍ୟମାନେ ମାନବିକତାର ପରିଚୟ ଦେଇଛନ୍ତି। ଶ୍ୟାମ ଜଣେ ଦିନ ମଜୁରିଆ। ତାଙ୍କ ପରିବାରର ସଦସ୍ୟ ସଂଖ୍ୟା ୧୭ ା ଏଥିମଧ୍ୟରୁ ୧୨ଜଣ କେବଳ ଛୋଟ ପିଲା ା ଲକ୍‌ଡାଉନ ଘୋଷଣା ପରେ ଶ୍ୟାମ ଆଉ କାମଧନ୍ଦାକୁ ବାହାରି ପାରି ନ ଥିଲେ। ପରିବାର ସଦସ୍ୟମାନେ ଉପାସରେ ରହୁଥିବା ଖବର ଜାଣିବା ପରେ ଗଣ୍ଡିବେଡର ଯୁବ ସ୍ବାଭିମାନ ମଞ୍ଚର ସଦସ୍ୟ ପହଞ୍ଚିଥିଲେ। ସଭାପତି କୈଳାସ ଚନ୍ଦ୍ର ସାହୁ, ସମ୍ପାଦକ ଲକ୍ଷ୍ମୀକାନ୍ତ ଶଙ୍ଖୁଆ ଏବଂ କୋଷାଧ୍ୟକ୍ଷ ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଅନ୍ୟ କେତେକ ସଭ୍ୟ ଶୁକ୍ରବାର ଶ୍ୟାମ ସିଂଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଚାଉଳ, ଡାଲି ତଥା ଅନ୍ୟାନ୍ୟ ପନିପରିବା ଯୋଗାଇଥିଲେ ା ସେହିଭଳି ମଞ୍ଚର ସଦସ୍ୟମାନେ ଗଣ୍ଡିବେଡ ବଜାରରେ ଅତ୍ୟାବଶ୍ୟକ ଜିନିଷ ନେବାକୁ ଆସୁଥିବା ଗ୍ରାହକ ଓ ବ୍ୟବସାୟୀମାନଙ୍କୁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ସଚେତନ କରାଇଥିଲେ। ବ୍ୟବସାୟୀମାନଙ୍କୁ ମାସ୍କ ନାହିଁ ତ ଜିନିଷ ନାହିଁ ଉପରେ ଗୁରୁତ୍ୱ ଦେବାକୁ ପ୍ରବର୍ତ୍ତାଇଥିଲେ। ସପନ ମହାନ୍ତି, ଜୀବନ ଦାସ, ଗୋବର୍ଦ୍ଧନ ମହାରଣା, ଭରତ ମହାରଣା, ଲକ୍ଷ୍ମଣ ବେହେରା ପ୍ରମୁଖ ସହଯୋଗ କରିଥିଲେ।