ସହ ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ: କୋଲକାତାରୁ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବାସୁଦେବପୁର,୩।୩(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ତହସିଲ ଅଧୀନ ବେତଡ଼ା ସହ ରାଜସ୍ବ ନିରୀକ୍ଷକ ସୁରେଶ ଚନ୍ଦ୍ର ସିହ୍ନାଙ୍କୁ ଗତ ୧୪ ତାରିଖରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ବାସୁଦେବପୁର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ କୋଲକାତାରୁ ରବିବାର ରାତିରେ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନଁା ଉପେନ୍ଦ୍ର ପଣ୍ଡା। ତାଙ୍କ ଘର ବେତଡ଼ା ନିକଟବର୍ତ୍ତୀ ନଇଛଣପୁର ଗ୍ରାମରେ। ପୋଲିସ ଗିରଫ ଉପେନ୍ଦ୍ରଙ୍କୁ ସୋମବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଭଦ୍ରକ ଜେଲକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ସହ ରାଜସ୍ବ ନିରୀକ୍ଷକଙ୍କୁ ଉପେନ୍ଦ୍ର ଓ ଅନ୍ୟ ଜଣେ ସହଯୋଗୀ କାର୍ଯ୍ୟରତ ଅବସ୍ଥାରେ ମାଡ଼ ମାରିଥିଲେ। ଏ ସମ୍ପର୍କରେ ରାଜସ୍ବ ଅଧିକାରୀଙ୍କ ଅଭିଯୋଗକ୍ରମେ ବାସୁଦେବପୁର ଥାନାରେ ଏକ ମାମଲା(ନଂ. ୩୩/୨୦) ରୁଜୁ ହୋଇଥିଲା। ସେବେଠାରୁ ଉପେନ୍ଦ୍ର ଓ ଅନ୍ୟ ଆକ୍ରମଣକାରୀ ଫେରାର ଥିଲେ। ଦୁଇ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆର୍‌ଆଇ ଓ ସହ ଆର୍‌ଆଇମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେବା ସହିତ ଭଦ୍ରକ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରବିବାର ବାସୁଦେବପୁର ଆଇଆଇସି ମଧୁମିତା ମହାନ୍ତି ଓ ଏଏସ୍‌ଆଇ ଚିତ୍ତରଞ୍ଜନ ଦାସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି କୋଲକାତାର ବହୁବଜାରରୁ ଉପେନ୍ଦ୍ରଙ୍କୁ ଧରିବାରେ ସଫଳ ହୋଇଛନ୍ତି।

Share