ସାଇକେଲରେ ଅଫିସ୍‌ ଆସିଲେ ଅଧିକାରୀ, କର୍ମଚାରୀ

ଭୁବନେଶ୍ୱର, ୧୪ା୧୨ (ବ୍ୟୁରୋ): ସହରାଞ୍ଚଳ ପରିବେଶକୁ ଯାନବାହନ ପ୍ରଦୂଷଣରୁ ମୁକ୍ତ ରଖିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ୍‌) ପକ୍ଷରୁ ଏକ ଭଲ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ୩ ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ପ୍ରତି ଶୁକ୍ରବାର ନିଜ ମୋଟରସାଇକେଲ କିମ୍ବା ୪ ଚକିଆ ଯାନବାହନ ଧରି ନ ଆସିବାକୁ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେହି ଅନୁଯାୟୀ ଶୁକ୍ରବାର ସକାଳ ୧୦ଟା ୩୦ ମିନିଟରେ ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର ତଥା ବିଏସ୍‌ସିଏଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ସାଇକେଲ ଯୋଗେ ବିଏମସି କାର୍ଯ୍ୟାଳୟକୁ ଯାଇଥିଲେ। କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ଗାଡି ଆଣି ନ ଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ କେତେଜଣ ସାଇକେଲରେ ଆସିଥିବା ବେଳେ ଅନ୍ୟ କେତେ ଜଣ ମୋ ବସରେ ଆସିଥିବା ଦେଖା ଯାଇଥିଲା।
ପ୍ରେମଚନ୍ଦ୍ର କହିଛନ୍ତି ଯେ ସହରର ପରିବେଶ ବେଳକୁ ବେଳ ପ୍ରଦୂଷଣ ହେବାରେ ଲାଗିଛି। ଆଗାମୀ ଦିନରେ ଏହା ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ଆମେମାନେ ଯଦି ସାଇକେଲରେ ଯିବା ଆସିବା କରିବା ତେବେ ଏହା ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବ। କର୍ମଚାରୀମାନଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମୁଁ ସବୁ ଦିନ ସାଇକେଲ ଚଲାଏ। ସମସ୍ତେ ସାଇକେଲ ଚଲାଇଲେ ପରିବେଶ ଭଲ ରହିବ। ଆମେ ଯେହେତୁ ସହରର କର୍ତ୍ତୃପକ୍ଷ ପ୍ରଥମେ ଆମକୁ ପଦକ୍ଷେପ ନେବା ଦରକାର। ମୋ ସାଇକେଲ ଯୋଜନାରେ ଏଣିକି ଆଉ ଭିନ୍ନ ଭିନ୍ନ ଆପ୍‌ ନ କରି ଗୋଟିଏ ଆପ୍‌ କରାଯିବ। ଲୋକମାନଙ୍କୁ ସାଇକେଲ ବୁକିଂ କରିବାକୁ ସହଜ ହେବ ବୋଲି ପ୍ରେମଚନ୍ଦ୍ର କହିଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ବିଡିଏ, ବିଏମସି ଏବଂ ବିଏସସିଏଲ କର୍ମଚାରୀମାନେ ବିନା ଗାଡିରେ କାର୍ଯ୍ୟାଳୟକୁ ଆସିଥିଲେ। କାର୍ଯ୍ୟାଳୟ ପରିସରରେ ମଧ୍ୟ କୌଣସି ଯାନବାହନ ଦେଖାଯାଇ ନ ଥିଲା। ଏପରିକି କାର୍ଯ୍ୟାଳୟଗୁଡିକର ପାର୍କିଂ ଅଞ୍ଚଳକୁ ମଧ୍ୟ କୌଣସି ଯାନବାହନ ଛଡା ଯାଇ ନ ଥିଲା। ସୁରକ୍ଷା କର୍ମୀମାନେ କର୍ମଚାରୀଙ୍କ ବ୍ୟତୀତ କାର୍ଯ୍ୟାଳୟକୁ ଆସୁଥିବା ବାହାର ଲୋକମାନଙ୍କ ଗାଡିକୁ ମଧ୍ୟ ଛାଡି ନ ଥିଲେ।

Share