ସାଇକେଲରେ ଆସୁଥିବା ୮ ଶ୍ରମିକ ପୋଲିସ ହାତରେ ଧରାପଡି ସଙ୍ଗରୋଧ ଗୃହରେ ରହିଲେ

ଭବାନୀପାଟଣା/କୋକସରା,୧୦।୪(ସ୍ବ.ପ୍ର/ଡି.ଏନ.ଏ.): ଲକ୍‌ଡାଉନ ଯୋଗଁୁ ଓଡିଶାର ଅନେକ ଦାଦନ ଶ୍ରମିକ ରାଜ୍ୟ ତଥା ରାଜ୍ୟ ବାହରେ ଫସି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲାର ୮ଜଣ ଶ୍ରମିକ ନବରଙ୍ଗପୁର ଜିଲାରେ କାମ କରୁଥିଲେ। ଲକ୍‌ଡାଉନ ଯୋଗଁୁ ସେମାନେ ଘରକୁ ଫେରି ନ ପାରି ସେଠାରେ ରହିଯାଇଥିଲେ। ଏବେ ରାଜ୍ୟ ସରକାର ଲକଡାଉନକୁ ଏପ୍ରିଲ ୩୦ଯାଏ ବୃଦ୍ଧି କରିଥିବାରୁ ବାଧ୍ୟହୋଇ ସେମାନେ ଶୁକ୍ରବାର ନବରଙ୍ଗପୁରରୁ ସାଇକେଲ କିଣି ଘରକୁ ବାହାରି ଥିଲେ। ତେବେ କଳାହାଣ୍ଡି ସୀମାନ୍ତ ଆମପାଣି ଘାଟିରେ ସେମାନେ ପାଟ୍ରୋଲିଂ ପୋଲିସ ହାତରେ ଧରାପଡିଥିଲେ। ପରେ ଉକ୍ତ ଶ୍ରମିକମାନଙ୍କୁ ଆମପାଣି ପୋଲିସ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଆମପାଣି ଜନଜାତି ଆବାସିକ ବିଦ୍ୟାଳୟରେ କରାଯାଇଥିବା ସଙ୍ଗରାଧ ଗୃହରେ ରଖାଯାଇଛି । ଏ ନେଇଁ ଆମପାଣି ଥାନ ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗିଙ୍କୁ ପଚାରିବାରୁ ଲକ୍‌ଡାଉନ ନିୟମ ଅନୁଯାୟୀ ଶ୍ରମିକମାନଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଛି ବୋଲି କହିଥିଲେ।