ସାଇକେଲରେ ତାମିଲନାଡୁରୁ ସୁବର୍ଣ୍ଣପୁର

ସୋନପୁର,୭।୬(ନି.ପ୍ର.)-ତାମିଲନାଡୁର ଶ୍ରବଣପଲିରୁ ସୁବର୍ଣ୍ଣପୁର ଜିଲାର ନାରାୟଣପୁର ଦୀର୍ଘ ୧୭୦୦ କି.ମି. ସାଇକେଲ ଯାତ୍ରା। ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ନାରାୟଣପୁରର କରୁଣା ଧରୁଆ(୨୭), ଗିରିଗୋବର୍ଦ୍ଧନ ଧରୁଆ(୨୯), କୃଷ୍ଣଚନ୍ଦ୍ର ବଗର୍ତ୍ତି(୨୬), ଭଗବାନ ମାଝି(୩୦) ଓ ତରଭା ବ୍ଲକ କଟାପାଲି ପଞ୍ଚାୟତ ଶତ୍ରୁପାଲି ଗାଁର ପୃଥ୍ବୀରାଜ ଭୋଇ(୨୮) ସାଇକେଲ ଚଳାଇ ୧୪ ଦିନରେ ନିଜ ଗଁା ନିକଟରେ ପହଞ୍ଚତ୍ଛନ୍ତି । ଏତେ ଲମ୍ବା ପଥ ଆସିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜ ଲକ୍ଷ୍ୟସ୍ଥଳରୁ ସେମାନେ ବିଚ୍ୟୁତ ହୋଇ ନ ଥିଲେ। ଜୀବନକୁ ବାଜି ଲଗାଇ ଗାଁରେ ଗତ ୫ ତାରିଖ ସନ୍ଧ୍ୟାରେ ପହଞ୍ଚତ୍ବା ପରେ ସେମାନେ ଆଶ୍ୱସ୍ତ ହୋଇଛନ୍ତି । ପୋଲିସ ଓ ସରପଞ୍ଚ ନାରାୟଣପୁରର ୪ ପ୍ରବାସୀ ଶ୍ରମିକଙ୍କୁ ସ୍ଥାନୀୟ ହାଇସ୍କୁଲ ଟିଏମ୍‌ସିରେ କ୍ୱାରାଣ୍ଟାଇନ୍‌ରେ ରଖିବାର ବ୍ୟବସ୍ଥା କରିଛନ୍ତି। ସେହିଭଳି ପୃଥ୍ବୀରାଜଙ୍କୁ ତରଭା ବ୍ଲକ କଣ୍ଟାପାଲି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି । ସମସ୍ତେ ଏବେ ସୁସ୍ଥ ଅଛନ୍ତି।
ମହାମାରୀ କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୫ ତାରିଖରେ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ଏପଟେ କର୍ମସଂସ୍ଥାନ ହରାଇ ବାହାର ରାଜ୍ୟରେ କାମ କରୁଥିବା ଓଡିଆ ଲୋକେ ଘରକୁ ଫେରିବାକୁ ବ୍ୟଗ୍ର ହୋଇପଡିଲେ। କିଏ ଚାଲି ଚାଲି ତ ପୁଣି କିଏ ଲୁଚିଛପି ପଳାଇ ଆସିଲେ। ହେଲେ ସୁବର୍ଣ୍ଣପୁରର ଏହି ୫ ଯୁବକ ସାଇକେଲରେ ଗାଁକୁ ଫେରିବାକୁ ମନସ୍ଥ କରିଥିଲେ। ସେମାନେ କିଛିବର୍ଷ ହେଲା କୋଏମ୍ବାଟୁର ନିକଟସ୍ଥ ଶ୍ରବଣପଲିରେ ଏକ ଅଟୋ ମୋବାଇଲସ୍‌ ପାଟର୍‌ସ କାରଖାନାରେ କାମ କରୁଥିଲେ । ଲକ୍‌ଡାଉନ୍‌ ଯୋଗୁ କାରଖାନା ବନ୍ଦ ହୋଇ ଯିବାରୁ ସେଠାରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଖାଇବାକୁ ନ ପାଇ ଭୋକରେ ରହିବାକୁ ପଡିଥିଲା । ଶେଷରେ ସମସ୍ତେ ଗ୍ୟାସ୍‌ ଚୁଲା ଓ ସିଲିଣ୍ଡର ବିକ୍ରି କରି ଗୋଟିଏ ଲେଖାଏ ସାଇକେଲ କଣିଥିଲେ । ସେହି ସାଇକେଲରେ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେମାନେ ମେ ୨୨ ତାରିଖରେ ଶ୍ରବଣପଲିରୁ ବାହାରିଥିଲେ । ବହୁ ସ୍ଥାନରେ ପୋଲିସ ଅଟକାଇ ଥିଲା । ମାତ୍ର ସେମାନେ ନିଜ ସମସ୍ୟା ଜଣାଇ ଖସି ଆସିଥିଲେ । କେତେକ ସ୍ଥାନରେ ସ୍ଥାନୀୟ ଲୋକେ ଖାଇବାକୁ ଦେଇଥିଲେ । ଅଧିକାଂଶ ଦିନ ଭୋକ ଉପାସରେ ସାଇକେଲ ଚଳାଇବାକୁ ପଡୁଥିଲା ବୋଲି ସେମାନେ କହିଛନ୍ତି । କ୍ୱାରାଣ୍ଟାଇନ୍‌ ଅବଧି ପରେ ସେମାନେ ଆଉ ତାମିଲନାଡୁ ଫେରିବେ ନାହିଁ। ସରକାର ଆମକୁ କାମ ଯୋଗାଇ ଦେଲେ ଆମେ ଏଇଠି କାମ କରିବୁ ବୋଲି ପ୍ରବାସୀ ଶ୍ରମିକମାନେ କହିଛନ୍ତି ା

Share