Categories: ଖେଳ

ସାଇକେଲ ଚାଳନା ମାଧ୍ୟମରେ ସ୍ବାସ୍ଥ୍ୟ ଓ ପରିବେଶ ସଚେତନତା

ଭୁବନେଶ୍ୱର, ୬।୮(କ୍ରୀଡ଼ା ପ୍ରତିନିଧି)-
ସାମ୍ପ୍ରତିକ ସମାଜରେ ଅତ୍ୟଧିକ ଯାନର ବ୍ୟବହାର ଯୋଗୁ ପରିବେଶ ଦୁଷିତ ହେଉଛି ଏବଂ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପରିବେଶ ଦୁଷିତ ହେବାଦ୍ୱାରା ଜଳବାୟୁରେ ମଧ୍ୟ ଅନିୟମିତତା ଦେଖା ଦେଉଛି। ତେଣୁ ସ୍ବାସ୍ଥ୍ୟ ଓ ପରିବେଶ ସଚେତନତା ବାର୍ତ୍ତା ନେଇ ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ(ବିସିଏସି) ପକ୍ଷରୁ ସାଇକେଲ ଯୋଗେ ଚିଲିକା ପରିକ୍ରମା କରାଯାଇଛି। କ୍ଲବର ମୋଟ ୨୦ ସଦସ୍ୟ ଏହି ପରିକ୍ରମାରେ ସାମିଲ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଥିଲେ ୧୧ ବର୍ଷର ବାଳକ ଅଚିନ୍ତ୍ୟ ଅନୁଭବ। ସେହିପରି ସବୁଠାରୁ ବରିଷ୍ଠ ସଦସ୍ୟ ଥିଲେ ରମେଶ(୬୦ ବର୍ଷରୁ ଊର୍ଦ୍ଧ୍ୱ)। ୩ ତାରିଖରେ ଭୁବନେଶ୍ୱରରୁ ବାହାରିଥିବା ଏହି ସାଇକେଲ ଯାତ୍ରାରେ ସଦସ୍ୟମାନେ ପ୍ରଥମ ଦିବସରେ ଡେଲାଙ୍ଗ, ବ୍ରହ୍ମଗିରି, ସାତପଡ଼ା ପର୍ଯ୍ୟନ୍ତ ଯାଇ ସେଠାରୁ ବୋଟ୍‌ ଯୋଗେ କୃଷ୍ଣପ୍ରସାଦ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ପୁଣି ସାଇକେଲ ଯାତ୍ରାରେ ଆସି ରମ୍ଭାରେ ରାତ୍ରି ଯାପନ କରିଥିଲେ। ତେଣୁ ପ୍ରଥମ ଦିବସରେ ମୋଟ ୧୭୫ କିଲୋମିଟର ଯାତ୍ରା ହୋଇଥିଲା। ୪ ତାରିଖ ଦ୍ୱିତୀୟ ଦିବସରେ ରମ୍ଭାରୁ ସିଧା ଭୁବନେଶ୍ୱର ପାଖାପାଖି ୧୩୦ କିଲୋମିଟର ଯାତ୍ରା କରିଥିଲେ। ଏହି ଯାତ୍ରାରେ ୩୦୦ କିଲୋମିଟରରୁ ଊର୍ଦ୍ଧ୍ୱ ପଥ ପରିକ୍ରମା ହୋଇଥିଲା। ସାଇକେଲ ଯୋଗେ ଚିଲିକା ପରିକ୍ରମା ଅବସରରେ କ୍ଲବର ସଦସ୍ୟମାନେ ବିଭିନ୍ନ ଲୋକଙ୍କ ସହ ମିଶି ଭାବର ଆଦାନ ପ୍ରଦାନ କରିଥିଲେ ଏବଂ ସାଇକେଲର ଉପାଦେୟତା ସମ୍ପର୍କରେ ସଚେତନ କରାଇଥିଲେ। କ୍ଲବର କନିଷ୍ଠ ସଦସ୍ୟ ଅଚିନ୍ତ୍ୟଙ୍କ ସାହସ ଓ ଉତ୍ସାହକୁ ସମସ୍ତେ ପ୍ରଶଂସା କରିଥିଲେ।

Share