ସାଇକେଲ ପଛରେ ପିତାଙ୍କୁ ବସାଇ ୧୨ଶହ କିଲୋମିଟର ଯାତ୍ରା କରିଥିବା ବିହାର ଯୁବତୀଙ୍କୁ ପ୍ରଶଂସା କଲେ ଇଭାଙ୍କା

ଦରଭଙ୍ଗା,୨୩।୫: ଲକ୍‌ଡାଉନ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଏବେ ଘରମୁହାଁ ହୋଇଛନ୍ତି। ଏହି କ୍ରମରେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିହାରର ୧୫ ବର୍ଷର ଝିଅ ଜ୍ୟୋତି କୁମାରୀ। ସେ ତାଙ୍କ ଆହତ ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିଲୋମିଟର ଯାତ୍ରା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜ୍ୟୋତିଙ୍କ ଏହି ସାହସିକତା ପାଇଁ ସାଇକ୍ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ସିଏଫ୍‌ଆଇ)ତାଙ୍କର ପ୍ରଶଂସା କରିବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଜ୍ୟୋତିଙ୍କ ସାହସିକତାର ପ୍ରଶଂସା କରିଛନ୍ତି। ଇଭାଙ୍କା ଶୁକ୍ରବାର ଟୁଇଟ କରି ଜ୍ୟୋତିଙ୍କ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ଜ୍ୟୋତି କୁମାରୀଙ୍କ ପିତା ମୋହନ ପାଶଓ୍ବାନ ହରିୟାଣାର ଗୁରୁଗ୍ରାମରେ ଇ-ରିକ୍ସା ଚଳାଉଥିବା ବେଳେ ନିକଟରେ ଝିଅ ଜ୍ୟୋତି ତାଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ପିତାଙ୍କର ଦୁର୍ଘଟଣା ହେବାରୁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଓ ସେ ଆଉ ରିକ୍ସା ଚଳାଇ ପାରି ନ ଥିଲେ। ଅନ୍ୟପଟେ ଲକ୍‌ଡାଉନ ଯୋଗୁ ତାଙ୍କ ପିତାଙ୍କ ରୋଜଗାର ନ ଥିବାରୁ ବାପ-ଝିଅଙ୍କ ଚଳିବା କଷ୍ଟକର ହୋଇ ପଡିଥିଲା। ଏପଟେ ଏମାନଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ଘରକୁ ଫେରିବାକୁ ମଧ୍ୟ ସେମାନେ ସାହାସ କରିପାରୁ ନ ଥିଲେ। ଶେଷରେ ଜ୍ୟୋତି ସାହସ ଜୁଟାଇ ଆହତ ପିତାଙ୍କୁ ସାଇକେଲ ପଛରେ ବସାଇ ଦୀର୍ଘ ୧୨୦୦ କିଲୋମିଟର ଯାତ୍ରା କରି ନିଜଗ୍ରାମ ବିହାରର ଦରଭଙ୍ଗାରେ ପହଞ୍ଚିଥିବାକୁ ତାଙ୍କୁ ୭ ଦିନ ସମୟ ଲାଗିଥିବା ସେ କହିଛନ୍ତି। ଏବେ ଜ୍ୟୋତିଙ୍କର ଏହି ସାହସକୁ ଦେଖି ନ୍ୟାଶନାଲ ସାଇକ୍ଲିଂ ଏକାଡେମୀ ତାଙ୍କର ଏକ ଟେଷ୍ଟ ନେବାକୁ କହିଛି। ହେଲେ ଏଥିପାଇଁ ସେ ଏକମାସ ସମୟ ମାଗିଛନ୍ତି। ଇଭାଙ୍କାଙ୍କ ଟୁଇଟ୍‌ ଦେଖିବା ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ମଧ୍ୟ ଜ୍ୟୋତିଙ୍କ ସାହସିକତାର ପ୍ରଶଂସା କରିଛନ୍ତି।

Share