ଅନୁଗୋଳ ଜିଲା ବଅଁରପାଳ ବ୍ଲକ କନିଆବେଡ଼ା ଗ୍ରାମର କିଶୋରୀ ସାହୁ(୩୮)। ସ୍ତ୍ରୀ, ଦୁଇ ପୁଅ ଓ ମାଆ, ବାପାଙ୍କୁ ନେଇ ତାଙ୍କ ପରିବାର। ଅଷ୍ଟମ ଶ୍ରେଣୀ ଯାଏ ପଢ଼ିଥିବା କିଶୋରୀ ଦୀର୍ଘ ବର୍ଷ ହେଲା ସାଇକେଲ ମରାମତି କାର୍ଯ୍ୟ କରୁଛନ୍ତି। ଦୈନିକ ସକାଳ ୬ଟାରୁ ଉଠି ନିତ୍ୟକର୍ମ ଶେଷ କରିବା ପରେ ସେ କନିଆବେଡ଼ା ଛକ ଠାରେ ଥିବା ସାଇକେଲ ଦୋକାନକୁ ବାହାରି ଯାଆନ୍ତି। ଦିନତମାମ ସେଠାରେ ପରିଶ୍ରମ କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଦୁଃଖ କଷ୍ଟେ ଚଳିଯାଉଛି। ଜମିବାଡ଼ି ନ ଥିବାରୁ ସେ ଚାଷ କରନ୍ତି ନାହିଁ। ହେଲେ ଜନପ୍ରତିନିଧିଟିଏ ହୋଇ ଗଁା ଲୋକଙ୍କ ସେବା କରିବାର ସୁଯୋଗ ପାଇଥିବାରୁ କିଶୋରୀ ଏବେ ବେଶ୍ ଖୁସି।
ଅଧାରୁ ସ୍କୁଲ ଶିକ୍ଷା ଛାଡ଼ିବା ପରେ କିଶୋରୀ କିଛି ରୋଜଗାର ପ୍ରତି ମନ ବଳାଇଥିଲେ। କୁରୁଡ଼ୁଲୁ ଗ୍ରାମର ବାବୁ ସାହୁଙ୍କ ନିକଟରୁ ସାଇକେଲ ମରାମତି କାର୍ଯ୍ୟ ଶିଖି ଦୈନିକ କିଛି କିଛି ରୋଜଗାର କଲେ। ଏହାପରେ କନିଆବେଡ଼ା ଛକ ଠାରେ ଦୀର୍ଘ ୨୮ ବର୍ଷ ହେବ ଦୋକାନ କରି ସାଇକେଲ ମରାମତି କାମ କରୁଛନ୍ତି। ଏଥିସହ କିଶୋରୀ ବର୍ତ୍ତମାନ କନିଆବେଡ଼ା ଗ୍ରାମ ୧୨ ନମ୍ବର ୱାର୍ଡର ସଭ୍ୟ ରହିଛନ୍ତି। ଗଁାର ଗରିବ ଲୋକଙ୍କୁ ସେବା ଯୋଗାଇଦେବା, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବା, ଅସହାୟ ଲୋକଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ଉଦ୍ୟମ କରିବା ସହ ନିଜ ୱାର୍ଡରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବାକୁ କିଶୋରୀ ପ୍ରଚେଷ୍ଟା ଜାରି ରଖିଥିବା କହିଛନ୍ତି। ଦୁଇ ପୁଅଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବା ସହ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ତାଙ୍କ ଉଦ୍ଦେଶ୍ୟ ବୋଲି କିଶୋରୀ ପ୍ରକାଶ କରିଛନ୍ତି।