Categories: ଜାତୀୟ

ସାଇକେଲ ସଜଡା ବିଳମ୍ବ ହେବାରୁ ପୋଲିସକୁ ପତ୍ର ଲେଖିଲେ ୧୦ ବର୍ଷର ବାଳକ

ଥିରୁଭାନନ୍ତପୁରମ,୩୦।୧୧: କେରଳର ୧୦ ବର୍ଷର ଜଣେ ବାଳକ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୋଜିକୋଡେର ୫ମ ଶ୍ରେଣୀର ଛାତ୍ର ଅବିନ ନିଜର ଓ ତାଙ୍କ ଭାଇଙ୍କ ସାଇକେଲ କିଛିଦିନ ହେବ ସଜଡା ନ ହୋଇ ପାରିବାରୁ ପୋଲିସକୁ ଚିଠି ଲେଖି ସହାୟତା ମାଗିଥିଲେ। ଉକ୍ତ ପତ୍ରରେ ସେ ଲେଖିଥିଲେ ତାଙ୍କ ସାଇକେଲ ସଜଡା ହୋଇ ପାରୁନି। ଏମିତିକି ସେ ଯେଉଁ ଦୋକାନରେ ସାଇକେଲ ସଜାଡିବାକୁ ଦେଇଛନ୍ତି ତାହା ଏବେ ବନ୍ଦ ହୋଇଗଲାଣି। ସେପ୍ଟେମ୍ବର ୫ରୁ ଅବିନ ତାଙ୍କ ସାଇକେଲ ମରାମତି ପାଇଁ ଦେଇଥିବା ଉକ୍ତ ପତ୍ରରେ ପ୍ରକାଶ କରିଥିଲେ। ମେପାୟୁର ପୋଲିସ ଷ୍ଟେଶନକୁ ଅବିନ ଲେଖିଥିବା ଏହି ପତ୍ରଟି ଦେଖିବା ପରେ ସେଠାରେ ଦାୟିତ୍ୱରେ ଥିବା ଅଧିକାରୀ ରାଧିକା ଏନ୍‌ପି ଏହାକୁ ଗୁରୁତର ସହ ନେଇଥିଲେ। ଏହାପରେ ସେ ତୁରନ୍ତ ଉକ୍ତ ସାଇକେଲ ମରାମତି ଦୋକାନକୁ ଯାଇ ଏହାର କାରଣ ପଚାରି ବୁଝିଥିଲେ। ଦୋକନୀ ଦେହ ଖରାପ ଓ ପୁଅ ବାହାଘର ଦର୍ଶାଇ କାମରେ ବିଳମ୍ବ ହୋଇଥିବା କହିଥିଲେ। ହେଲେ ଏଥର କାମ ଶୀଘ୍ର ହୋଇଯିବ ବୋଲି ସେ ରାଧିକାଙ୍କୁ କଥା ଦେଇଥିଲେ ଓ କାମ ମଧ୍ୟ କରି ଦେଇଥିଲେ। ତେବେ ପୋଲିସ ଅଧିକାରୀ ରାଧିକା ୫ମ ଶ୍ରେଣୀ ଛାତ୍ର ଅବିନଙ୍କ ପତ୍ର ଓ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହାକୁ ସମସ୍ତେ ବେଶ୍‌ ପ୍ରଶଂସା କରିଥିଲେ।

Share