Categories: ଜାତୀୟ

ସାଇକେଲ-ହାତୀ କଲେନି ସହଯୋଗ: ଅମେଠିରେ ପଦ୍ମଠାରୁ ପରାଜିତ ହେଲା ହାତ

ନୂଆଦିଲ୍ଲୀ,୨।୬: ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜ ପୁରୁଣା ଗଡ଼ ବୋଲାଉଥିବା ଅମେଠିରେ ପରାଜିତ ହୋଇଛି। ଏଠାରେ ଭାଜପା ପ୍ରାର୍ଥୀ ସ୍ମୃତି ଇରାନୀ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୫୫ ହଜାର ଭୋଟରେ ପରାଜିତ କରିଛନ୍ତି। ଏଠାରେ ରାହୁଲ କାହିଁକି ହାରିଲେ ସେ ନେଇ କଂଗ୍ରେସର ଦୁଇ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ତଥ୍ୟ ଉପସ୍ଥାପନ କରିଛନ୍ତି। ଏଠାରେ ଏସ୍‌ପି ଏବଂ ବିଏସ୍‌ପିର ସହଯୋଗ ନ ମିଳିବାରୁ କଂଗ୍ରେସ ସହଜରେ ପରାଜିତ ହୋଇଥିବା କୁହାଯାଉଛି। କଂଗ୍ରେସ ସଚିବ ଜୁବେର ଖାଁ ଏବଂ କେ.ଏଲ୍‌. ଶର୍ମା ଏସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ୨୦୧୪ରେ ରାହୁଲ ଏଠାରେ ୪.୦୮ ଲକ୍ଷ ଭୋଟ ପାଇଥିବାବେଳେ ୨୦୧୯ରେ ଏହାଠାରୁ ଅଧିକ ଭୋଟ ପାଇଛନ୍ତି। ଚଳିତ ଥର ରାହୁଲ ୪.୧୩ ଲକ୍ଷ ଭୋଟ ପାଇଛନ୍ତି। ତେବେ ଏସ୍‌ପି ଏବଂ ବିଏସ୍‌ପିର ସହଯୋଗ ନ ମିଳିବାରୁ ରାହୁଲ ପରାଜିତ ହୋଇଛନ୍ତି। ଏହା ଏକ ସାଧାରଣ ଗଣିତ ଭଳି କାର୍ଯ୍ୟକାରୀ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି।

Share