ସାଇଟୋକାଇନ୍‌ ଷ୍ଟର୍ମ: କରୋନା ମୁକାବିଲାରେ ମଣିଷ ପାଇଁ ଶତ୍ରୁ ପାଲଟୁଛି ଆଣ୍ଟିବଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣରେ ମଣିଷ ଶରୀର ପାଇଁ କିଭଳି ରୋଗ ପ୍ରତିରୋଧକ ଶକ୍ତି ହିଁ ଶତ୍ରୁ ପାଲଟି ଥାଏ ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ମଣିଷର ରୋଗ ପ୍ରତିରୋଧକ ଶକ୍ତିି ସୁଦୃଢ଼ ଥିଲେ ବାହାରର କୌଣସି ରୋଗ ସୃଷ୍ଟିକାରୀ ଅଣୁଜୀବ ଶରୀରରେ ପ୍ରବେଶ କଲେ ବି କିଛି କ୍ଷତି ହୋଇ ନ ଥାଏ। କିନ୍ତୁ ବେଳେବେଳେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଆଣ୍ଟିବଡ଼ି ବାହାରର ଅଣୁଜୀବ ସହିତ ଲଢ଼େଇ ନ କରି ନିଜ ଶରୀର ବିରୋଧରେ ଲଢ଼ିଥାଏ। କରୋନା ସଂକ୍ରମଣ କ୍ଷେତ୍ରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଶରୀରର ଆଣ୍ଟିବଡ଼ି ଏଭଳି ସ୍ଥିତିରେ ଫୁସ୍‌ଫୁସ୍‌ ନିକଟରେ ଜମା ହୋଇରହିଥାଏ। ଏହାକୁ ଡାକ୍ତରୀ ଭାଷାରେ ସାଇଟୋକାଇନ୍‌ ଷ୍ଟର୍ମ କୁହାଯାଏ। ଆଣ୍ଟିବଡ଼ି କୋଷିକା ଫୁସ୍‌ଫୁସ୍‌ର ସୁକ୍ଷ୍ମ ରକ୍ତବାହୀ ନଳୀରେ କ୍ଷତ ସୃଷ୍ଟି କରେ। ଫଳରେ ରକ୍ତ ବୋହିବା ସହ ଜମାଟ ବାନ୍ଧିଯାଏ। ଏହା ଜାରି ରହିଲେ ଧୀରେଧୀରେ ଶରୀରର ରକ୍ତଚାପ କମିବାକୁ ଲାଗେ। ଏହାର ପ୍ରଭାବରେ ହାର୍ଟ, କିଡ୍‌ନୀ, ଫୁସ୍‌ଫୁସ୍‌, ଲିଭର ଆଦି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସ୍ବାଭାବିକ ଭାବେ କାମ କରିବା ବନ୍ଦ କରିଦେଇଥାନ୍ତି। ଏଭଳିସ୍ଥିତି କରୋନା ସଂକ୍ରମଣରେ ସୃଷ୍ଟି ହୋଇଥାଏ। ଶରୀର ତାପମାତ୍ରା ବଢ଼ିବା ସହିତ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ। କିଛି ଲୋକ କୋମା ଅବସ୍ଥାକୁ ମଧ୍ୟ ଚାଲିଯାଇଥାନ୍ତି। ଚାଇନାର ଉହାନରେ କରୋନା ସଂକ୍ରମିତଙ୍କଠାରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। କିଛି ସଂକ୍ରମିତଙ୍କ ଉପରେ ପରୀକ୍ଷା କରି ଡାକ୍ତର ଜାଣିପାରିଥିଲେ ଯେ, ସେମାନଙ୍କଠାରେ ଆଇଏଲ୍‌-୨ ଏବଂ ଆଇଏଲ୍‌-୬ ସାଇଟୋକାଇନ୍‌ ଷ୍ଟର୍ମର ଲକ୍ଷଣ ରହିଥିଲା। ବହୁ ମୃତକଙ୍କଠାରେ ଆଇଏଲ୍‌-୬ ସିଆର୍‌ପି ସାଇଟୋକାଇନ୍‌ ଷ୍ଟର୍ମ ଅଧିକ ଥିବା ମଧ୍ୟ ଜଣାପଡ଼ିଥିଲା। ସେହିପରି ଆମେରିକାରେ ମଧ୍ୟ କରୋନା ସଂକ୍ରମିତ ଏବଂ ମୃତକଙ୍କଠାରେ ସାଇଟୋକାଇନ୍‌ ଷ୍ଟର୍ମ ଅଧିକ ଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣରେ ଶରୀରର ରୋଗପ୍ରତିରୋଧକ କ୍ଷମତା ହିଁ ଫୁସ୍‌ଫୁସ୍‌ର ଫାଇବ୍ରୋସିନ୍‌କୁ କମ୍‌ ସମୟ ମଧ୍ୟରେ ନଷ୍ଟ କରିଦିଏ। ୧୯୧୮ରେ ଦେଖାଦେଇଥିବା ଫ୍ଲୁ ଏବଂ ୨୦୦୩ରେ ସାର୍ସ ମହାମାରୀରେ ମଧ୍ୟ ସାଇଟୋକାଇନ୍‌ ଷ୍ଟର୍ମ ଯୋଗୁ ରୋଗପ୍ରତିରୋଧକ ଶକ୍‌ି ଶରୀରର କ୍ଷତି କରିଥିଲା। ଏଚ୍‌-୧ଏନ୍‌-୧ ସ୍ବାନ୍‌ ଫ୍ଲୁରେ ମଧ୍ୟ ଏଭଳି ହୋଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ରୋଗପ୍ରତିରୋଧକ କ୍ଷମତାକୁ ଶାନ୍ତ କରି ସ୍ବାଭାବିକ କରିବା ଲାଗି ଷ୍ଟେରଏଡ୍‌ର ବ୍ୟବହାର କରାଯାଇଥାଏ। ତେବେ କରୋନା ସଂକ୍ରମଣ କ୍ଷେତ୍ରରେ ଷ୍ଟେରଏଡ୍‌ର ବ୍ୟବହାର କେତେ ଦୂର ସଫଳ ରହୁଛି ସେନେଇ ଗବେଷଣା ଜାରି ରହିଛି। ଶରୀରରେ ସାଇଟୋକାଇନ୍‌ ଷ୍ଟର୍ମ ସୃଷ୍ଟି ହୋଇଥିବା ଡାକ୍ତର ସହଜରେ ଜାଣିପାରି ନ ଥାନ୍ତି। ଏହା ଜଣାପଡ଼ିବା ବେଳକୁ ଶରୀରର କ୍ଷତି ହୋଇସାରିଥାଏ। ଏକ୍ଷେତ୍ରରେ ଟୋସିଲିଜୁମାବ୍‌ ବେଶ୍‌ ସଫଳତାର ସହିତ କାମ କରିଥାଏ ବୋଲି ବିଶେଷଜ୍ଞ ମତପୋଷଣ କରନ୍ତି।

Share