ସାଇନାଙ୍କ ବାୟୋପିକ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି ପରୀ

ମୁମ୍ବାଇ: ଯେତେବେଳେ ବାୟୋପିକ୍‌ କଥା ଆସେ, ସେତେବେଳେ ଅଭିନେତ୍ରୀ/ଅଭିନେତାଙ୍କୁ ବିଶେଷ ପ୍ରସ୍ତୁତି କରିବାକୁ ପଡ଼ିଥାଏ। କାରଣ କୌଣସି କାଳ୍ପନିକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି ଉତାରିବାଠାରୁ କାହିଁ କେତେ ଗୁଣ କଷ୍ଟକର ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ଚରିତ୍ରରେ ଅଭିନୟ କରିବା। କାରଣ ବାୟୋପିକ୍‌ରେ ଉକ୍ତ ଚରିତ୍ର ସହ ଦର୍ଶକେ ଆଗରୁ ଅଳ୍ପବହୁତେ ଜଡ଼ିତ ଥାଆନ୍ତି। ଏଣୁ ଅଭିନୟ ଜୀବନ୍ତ ଓ ବାସ୍ତବିକ ଅନୁଭବ ନ ହେଲେ, ଦର୍ଶକ ତୁଳନାତ୍ମକ ଦୃଷ୍ଟିକୋଣରୁ ଅସନ୍ତୁଷ୍ଟ ହୋଇପାରନ୍ତି। ଏଣୁ ଅନେକ ସମୟରେ ବାୟୋପିକ୍‌ରେ ଅଭିନୟ କରୁଥିବା ଅଭିନେତ୍ରୀ/ଅଭିନେତାଙ୍କୁ ସମ୍ପୃକ୍ତ ଚରିତ୍ରରେ ବାସ୍ତବିକତା ଆଣିବାକୁ ଅଧିକରୁ ଅଧିକ ପରିଶ୍ରମ ଓ ପ୍ରୟାସ କରିବାକୁ ପଡ଼ିଥାଏ।
କ୍ରମରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି କରୁଛନ୍ତି କଠିନ ପରିଶ୍ରମ। କାରଣ ଭାରତର ଗର୍ବ ଓ ଗୌରବ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳୀ ସାଇନା ନେହ୍ବାଲ୍‌ଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଫିଲ୍ମରେ ପରିଣୀତି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏବେ ଏଭଳି ଜଣେ ତାରକାଙ୍କ ଜୀବନୀକୁ ପରଦାରେ ଫୁଟାଇବାକୁ ହେଲେ ପରୀଙ୍କୁ କଷ୍ଟ ତ କରିବାକୁ ପଡ଼ିବ। ଏଥିପାଇଁ ତାଙ୍କୁ ସାଇନାଙ୍କ ଚାଲିଚଳନ, କଥାବାର୍ତ୍ତା, ବେଶଭୂଷା ଓ ବିଶେଷକରି ବ୍ୟାଡ୍‌ମିଣ୍ଟନ ଖେଳିବା ଷ୍ଟାଇଲ୍‌ ଶିଖିବାକୁ ପଡ଼ୁଛି। ବାକି ସବୁ ଠିକ୍‌ ଅଛି, କିନ୍ତୁ ବ୍ୟାଡ୍‌ମିଣ୍ଟନ୍‌ ଅଭ୍ୟାସ କରିବାରେ ପରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ବ୍ୟାଡ୍‌ମିଣ୍ଟନ୍‌ ଅଭ୍ୟାସ ପାଇଁ ପରୀଙ୍କୁୁ ମୁମ୍ବାଇସ୍ଥିତ ରାମଶେଠ୍‌ ଠାକୁର ଇଣ୍ଟର୍‌ନ୍ୟାଶନାଲ୍‌ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଯିବାକୁ ପଡ଼ୁଛି, ଯେଉଁଥିରେ ତାଙ୍କର ୫-୬ ଘଣ୍ଟା ସମୟ ନଷ୍ଟ ହୋଇଯାଉଛି। ଫଳରେ ସେ ଆବଶ୍ୟକତା ଅନୁଯାୟୀ ଶୋଇପାରୁ ନାହାନ୍ତି ଓ ଅନ୍ୟ କାମ ମଧ୍ୟ ଠିକ୍‌ ସମୟରେ କରିପାରୁନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏଣିକି ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ହିଁ ଅଭ୍ୟାସ ସରିବା ପର୍ଯ୍ୟନ୍ତ ରହିବାକୁ ସେ ସ୍ଥିର କରିଛନ୍ତି। ଘରଠରୁ ଦୂର ସେଠାରେ ରହି ଏବେ ସାଇନାଙ୍କ ଭଳି ଖେଳିବାର ଅଭ୍ୟାସଚଳାଇଛନ୍ତି ପରିଣୀତି। ଅନ୍ୟପକ୍ଷରେ ସାଇନା ନେହଓ୍ବାଲ୍‌ଙ୍କ ବାୟୋପିକ୍‌ରେ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ଫାଇନାଲ୍‌ କରାଯାଇଥିଲା। ତେବେ ଶ୍ରଦ୍ଧାଙ୍କ ହାତରେ ଅନେକ ଫିଲ୍ମ ଥିବାରୁ ସେ ଏହି ଫିଲ୍ମକୁ ରିଜେକ୍ଟ କରିଦେଇଥିଲେ। ପରେ ପରିଣୀତିଙ୍କୁ ଏହି ଫିଲ୍ମ ପାଇଁ ଚୟନ କରାଗଲା ଓ ସେ ରାଜି ମଧ୍ୟ ହୋଇଗଲେ। ପିଲ୍କକୁ ସୁପରହିଟ୍‌ କରିବା ଲାଗି ଏବେ ପରୀ ସମ୍ପୂର୍ଣ୍ଣଭାବେ ଲାଗିପଡିଛନ୍ତି। ସେ କଠିନ ପରିଶ୍ରମ ଜାରି ରଖିଛନ୍ତି। ଆଗାମୀ ଦିନରେ ଫିଲ୍ମଟି କେତେ ସଫଳ ହେଉଛି ଓ ଦର୍ଶକଙ୍କ ମନକୁ ଛୁଉଁଛି ତାହା ସମୟ ହିଁ କହିବ।

Share