ସାଇନାଥକୁ କଳା ତାଲିକାଭୁକ୍ତ କଲା ବିଏମ୍‌ସି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଲୋକଙ୍କ ପାଇଖାନା ଟାଙ୍କିରୁ ସଂଗୃହୀତ ମଳକୁ ଡ୍ରେନ୍‌ରେ ଛାଡ଼ିବା ଶେଷରେ ମହଙ୍ଗା ପଡିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସେସ୍‌ପୁଲ୍‌ ଅପରେଟିଂ ଏଜେନ୍ସି ସାଇନାଥ ଫାବ୍ରିକ କେୟାର ପ୍ରାଇଭେଟ୍‌ ଲିମିଟେଡ୍‌କୁ କଳା ତାଲିକାଭୁକ୍ତ କରିବା ସହ ଏହାର ନିର୍ଦ୍ଦେଶକଙ୍କ ନାମରେ ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି।
ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଟେଣ୍ଡର ମାଧ୍ୟମରେ ସାଇନାଥ ଫାବ୍ରିକ କେୟାର ୬ଟି ଗାଡ଼ି ମଳ ପରିଚାଳନାରେ ନିୟୋଜିତ କରିଛି। ଏହି ସଂସ୍ଥା ସହରରୁ ସଂଗ୍ରହ କରୁଥିବା ମଳକୁ ବାସୁଆଘାଇସ୍ଥିତ ଏଫ୍‌ଏସ୍‌ଏସ୍‌ଏମ୍‌ ପ୍ଲାଣ୍ଟ୍‌ ପରିବର୍ତ୍ତେ ସହରର ଜନବସତି ଅଞ୍ଚଳରେ ଥିବା ଖୋଲାସ୍ଥାନରେ ପକାଉଥିବା ଅଭିଯୋଗ ଆସିଥିଲା। ସେହିଭଳି ଉକ୍ତ ସଂସ୍ଥା ଉକ୍ତ ଗାଡ଼ି ବାଦ୍‌ ଏଜେନ୍ସି ନିଜସ୍ବ ଗାଡ଼ିଗୁଡ଼ିରେ ବିଏମ୍‌ସି ଲୋଗୋ ଲଗାଇବା ସହ ନମ୍ବର ପ୍ଲେଟ୍‌ରେ ଗୃହ ଓ ନଗର ଉନ୍ନୟନ ବିଭାଗର ନାମ ଲେଖି ବ୍ୟବହାର କରୁଥିବା ନଜରକୁ ଆସିଥିଲା। ପୂର୍ବରୁ ମଧ୍ୟ ଏହି ସଂସ୍ଥା ବିରୋଧରେ ଅଭିଯୋଗ ଆସିଥିଲା। ବିଏମ୍‌ସି ପକ୍ଷରୁ ଜରିମାନା ଆଦାୟ କରାଯିବା ସହ ସମ୍ପୃକ୍ତ ସଂସ୍ଥାକୁ ସୋ କଜ୍‌ ନୋଟିସ୍‌ ଦିଆଯାଇଥିଲେ ମଧ୍ୟ ସଂସ୍ଥା ସୁଧୁରି ନ ଥିଲା। ସୋମବାର ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶକ୍ରମେ ସାଇନାଥ ଫାବ୍ରିକ କେୟାରର ନିର୍ଦ୍ଦେଶକ ଅମୂଲ୍ୟ କୁମାର ମୁଖୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ରୋଗ ଓ ସଂକ୍ରମଣକୁ ବ୍ୟାପିବା, ଜଳ ଓ ଜମି ପ୍ରଦୂଷଣ କରିବା, ବିଶ୍ୱାସଘାତକ କରିବା, କାର୍ଯ୍ୟରେ ଠକିବା ଓ ଜନସାଧାରଣଙ୍କ ସ୍ବାସ୍ଥ୍ୟପ୍ରତି ବିପଦ ସୃଷ୍ଟି କରିବା ଲାଗି ସଂସ୍ଥା ବିରୋଧରେ ଏକାଧିକ ଦଫା ଲଗାଯାଇଛି। ଲୋକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ବିଏମ୍‌ସି ଡେପୁଟି ମିଶନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।

Share