ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟରେ ଏବେ ପୁଣି ସକ୍ରିୟ ହେଲେଣି ସାଇବର ଅପରାଧୀ। ସେମାନେ ଲୋକଙ୍କ ମେଲ୍ ଆଇଡି ପାସ୍ଓ୍ବାଡ୍ ଏବଂ ଅନ୍ୟ ସାଇଟ୍କୁ ହ୍ୟାକ୍ କରି ଲକ୍ଷାଧିକ ଟଙ୍କା ଦାବି କରୁଛନ୍ତି। ଏପରିକି ଟଙ୍କା ନ ଦେଲେ ପର୍ସନାଲ ଡାଟାକୁ ଭାଇରାଲ କରିଦେବାକୁ ଧମକ୍ ମଧ୍ୟ ଦେଉଛନ୍ତି। ଯାହାଫଳରେ ଅନେକ ଲୋକେ ଭୟରେ ଟଙ୍କା ଦେଇଦେଉଥିବା ଜଣାପଡ଼ିଛି। ଏଭଳି ଏକ ସାଇବର ଠକେଇର ଶିକାର ହୋଇଛନ୍ତି ରାଜ୍ୟର ଜଣେ ପୂର୍ବତନ ପୋଲିସ ଡିଜି। ସାଇବର ଅପରାଧିମାନେ ତାଙ୍କର ମେଲ୍ ଆଇଡିକୁ ହ୍ୟାକ୍ କରି ନେଇ ୧.୪୦ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ତାଙ୍କର ପର୍ସନାଲ ଡାଟାକୁ ସୋସିଆଲ ମିଡିଆରେ ଭାଇରାଲ କରାଇ ଦେବାକୁ ଧମକ ଦେଇଥିଲେ। ଶେଷରେ ବାଧ୍ୟ ହୋଇ ପୂର୍ବତନ ପୋଲିସ ଡିଜି ନିଜ ମେଲ୍ର ପାସ୍ଓ୍ବାର୍ଡ ବଦଳାଇବା ସହ ଏନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଆଇପିସି ଦଫା ୩୮୫, ଆଇଟି ଆକ୍ଟ ୬୬(ସି) ଦଫାରେ ଏକ ମାମଲା(ନଂ-୧୯୧/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାମଲାର ତଦନ୍ତ କରୁଥିବା ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ଏନେଇ ସାଇବର ବିଶେଷଜ୍ଞଙ୍କ ସହଯୋଗ ନେଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଏକ ବର୍ଷରୁ ଅଧିକ ଦିନ ହେବ ସମ୍ପୃକ୍ତ ପୂର୍ବତନ ପୋଲିସ ଡିଜି ନିଜ ମେଲ୍ ଆଇଡିର ପାସ୍ଓ୍ବାର୍ଡ ବଦଳାଇ ନଥିଲେ। ଯାହାଫଳରେ ହ୍ୟାକରମାନେ ତାଙ୍କ ମେଲ୍କୁ ଏକ ଲିଙ୍କ୍ ପଠାଇଥିଲେ। ପୂର୍ବତନ ଡିଜି ଏହି ଲିଙ୍କ୍କୁ କ୍ଲିକ୍ କରିବା ପରେ ତାଙ୍କର ମେଲ୍ ଆଇଡିର ପାସ୍ଓ୍ବାର୍ଡ ହ୍ୟାକ୍ ହୋଇଯାଇଥିଲା। ହ୍ୟାକର ଜଣଙ୍କ ତାଙ୍କର ବ୍ୟକ୍ତିଗତ ଡାଟା ଚୋରି କରିଥିବା ଦାବି କରିଥିଲେ। ତେଣୁ ଏଥିପାଇଁ ୧.୪୦ଲକ୍ଷ ଟଙ୍କା ଦାବି କରିଥିଲା। ଟଙ୍କା ନଦେଲେ ତାଙ୍କର ବ୍ୟକ୍ତିଗତ ଡାଟାକୁ ଭାଇରାଲ କରି ଦେବାକୁ ଧମକ୍ ଦେଇଥିଲେ। ଏହି ଟଙ୍କାକୁ ବିଟ୍ କଏନ୍ ମାଧ୍ୟମରେ ଦେବାକୁ ହ୍ୟାକ୍ର କହିଥିଲେ। ଶେଷରେ ପୂର୍ବତନ ଡିଜି ନିଜର ଇମେଲ୍ର ପାସ୍ଓ୍ବାଡ ବଦଳାଇବା ସହ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗକାରୀ ଜଣେ ପୂର୍ବତନ ଡିଜି ହୋଇଥିବାରୁ ପୋଲିସ ତୁରନ୍ତ ଏହି ଅଭିଯୋଗକୁ ଆଧାରକରି ଏକ ମାମଲା ରୁଜୁ କରିଥିଲା।
ଏନେଇ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି ଯେ, ହ୍ୟାକରମାନେ ବାଙ୍ଗାଲୋରର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ତଦନ୍ତକୁ ଅଧିକ ଅଗ୍ରସର କରିବା ପାଇଁ ସାଇବର ବିଶେଷଜ୍ଞଙ୍କ ସହଯୋଗ ଲୋଡ଼ାଯାଇଛି। ସେମାନେ ଆମକୁ ବିଶେଷ ଉପଦେଶ ଦେବା ପରେ ତଦନ୍ତ ଆଗେଇବ ବୋଲି ସ୍ବାଇଁ କହିଛନ୍ତି। ଏନେଇ ଆଇଆଇଆଇଟିର ପ୍ରଫେସର ଦେବାଶିଷ ଜେନା କହିଛନ୍ତି ଯେ, ଲୋକମାନେ ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ତଥ୍ୟ ଦେଉଛନ୍ତି। ଯାହା ମାଧ୍ୟମରେ ସାଇବର ଅପରାଧୀ ପାସ୍ଓ୍ବାର୍ଡ ପ୍ରସ୍ତୁତ କରି ମେଲ୍ ଆଇଡି ହ୍ୟାକ୍ କରୁଛନ୍ତି। ତେଣୁ ଲୋକେ ନିଜର ବ୍ୟକ୍ତିଗତ ତଥ୍ୟ ଶେୟାର କରନ୍ତୁ ନାହିଁ। ହ୍ୟାକରମାନେ ମେଲ୍ ଆଇଡି ପାସ୍ଓ୍ବାର୍ଡ ହ୍ୟାକ୍ କରିବାପରେ ବିଟ୍ କଏନ ମାଧ୍ୟମରେ ଟଙ୍କା ଦେବାକୁ ଦାବି କରନ୍ତି। ବିଟ୍ କଏନ ମାଧ୍ୟମରେ ଟଙ୍କା ଦେଲେ ହ୍ୟାକର ଟଙ୍କା ପାଇଯାଆନ୍ତି, ହେଲେ ଏହି ଟଙ୍କା କାହା ନିକଟକୁ ଗଲା ତାହା ଜଣାପଡ଼େ ନାହିଁ। ତେଣୁ ସେମାନେ ଏଭଳି ପନ୍ଥା ଆପଣାଇଥାନ୍ତି ବୋଲି ଜେନା କହିଛନ୍ତି।