Categories: ଜାତୀୟ

ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉଠିଲା ବିବାଦ: ଅନିର୍ଦ୍ଦିଷ୍ଟକାଳ ପାଇଁ ହୋଇପାରେ ବନ୍ଦ

ଶିରିଡି,୧୮।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଇଥିବା ବୟାନ ଏବେ ବିବାଦ ଘେରକୁ ଚାଲି ଆସିଛି। ଠାକରେଙ୍କ ବୟାନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ରବିବାରଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିରିଡିକୁ ବନ୍ଦ ରଖିବାକୁ କୁହାଯାଉଛି। ସୂଚନାଯାଗ୍ୟ, ଠାକରେ କହିଥିଲେ ପାର୍ଥୀ(ପରଭାନୀ) ସାଇବାବାଙ୍କ ଜନ୍ମସ୍ଥାନ। ତେଣୁ ପାର୍ଥୀକୁ ସାଇବାବାଙ୍କ ଜନ୍ମସ୍ଥାନ ଭାବେ ବିକଶିତ କରାଯିବ ଓ ଏଥିପାଇଁ ଶହେ କୋଟି ଟଙ୍କା ଦିଆଯିବ। ଠାକରେଙ୍କ ମତରେ ଶିରିଡି ହେଉଛି ସାଇବାବାଙ୍କ କର୍ମଭୂମୀ ଓ ପାର୍ଥୀ ହେଉଛି ତାଙ୍କ ଜନ୍ମଭୂମୀ। ଠାକରେଙ୍କ ଏହି ବୟାନ ପରେ ଶ୍ରଦ୍ଧାଳୁମାନେ କହିଥିଲେ ସାଇବାବା କେବେବି ଜୀବନକାଳ ମଧ୍ୟରେ ତାଙ୍କ ଜନ୍ମଭୂମୀ କଥା କେଉଁଠି ଉଠାଇ ନାହାନ୍ତି। ସେ ସବୁବେଳେ ସବୁ ଧର୍ମକୁ ମାନୁଥିଲେ। ଏବେ ଏହି ବିବାଦକୁ ଦେଖି ସାଇବାବା ସନାତନ ଟ୍ରଷ୍ଟର ସଦସ୍ୟ ଭାଉସାହେବ ଓ୍ବାଖୁରେ କହିଛନ୍ତି, ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଯେଉଁଭଳି ବିବାଦ ଦେଖାଯାଇଛି ଏହାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଶିରିଡି ବନ୍ଦ ରଖିବାକୁ ସେ ଆହ୍ବାନ ଦେଇଛନ୍ତି। ଶନିବାର ଏହାକୁ ନେଇ ଗାଁରେ ଏକ ବୈଠକ ଡକାଯାଇଥିବା ସେ ପ୍ରକାଶ କରିଛନ୍ତି। ଭାଉସାହେବ ଆହୁରି ମଧ୍ୟ କହିଛନ୍ତି ଏହି ବନ୍ଦ ସମୟରେ ଏହାର ପ୍ରଭାବ ମନ୍ଦିରରେ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଉପରେ ଆଦୌ ପଡିବ ନାହିଁ। ଟ୍ରଷ୍ଟ ଚେଷ୍ଟା କରିବ ଏହି ସମୟରେ ଶ୍ରଦ୍ଧାଳୁମାନେ ଯେମିତି କୌଣସି ଅସୁବିଧାରେ ନ ପଡନ୍ତି। ପ୍ରସାଦାଳୟ ଓ ଧର୍ମଶାଳାର କାମ ନିତିଦିନ ଭଳି ଜାରି ରହିବ।

Share