ସାଇ ଇଣ୍ଟରନ୍ୟାଶନାଲ ସ୍କୁଲକୁ ‘ଇମର୍ଜିଂ ସ୍କୁଲ ଅଫ୍‌ ଦ ଇୟର’ ସମ୍ମାନ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଗୁଣାତ୍ମକ ଶିକ୍ଷା ପଦ୍ଧତି ଓ ପ୍ରଦାନ ପାଇଁ ଶନିବାର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲକୁ ‘ଇମର୍ଜିଂ ସ୍କୁଲ୍‌ ଅଫ୍‌ ଦ ଇୟର’ ସମ୍ମାନ ପ୍ରଦାନ କରାଯାଇଛି। ରାଜସ୍ଥାନ ଉଦୟପୁରଠାରେ ଅନୁଷ୍ଠିତ ଗ୍ଲୋବାଲ ଏଜୁକେଶନ ଆୱାର୍ଡସ୍‌-୨୦୧୯ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାଶନାଲ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ ଓ ଭାଇସ୍‌ ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଉଦୟପୁରର ପ୍ରିନ୍ସ ଲକ୍ଷରାଜ ସିଂହ ମେୱାର ଏବଂ ସେକ୍‌ମୋଲ୍‌୍‌ର ପ୍ରତିଷ୍ଠାତା ସୋନମ୍‌ ୱାଙ୍ଗ୍‌ଚୁକ୍‌ ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ବ୍ୟକ୍ତିଗତ ବା ସଙ୍ଗଠନାତ୍ମକ ରୂପେ ଶିକ୍ଷା କ୍ଷେତ୍ରରେ ଯେଉଁମାନଙ୍କର ଶ୍ରେଷ୍ଠ ଅବଦାନ ରହିଥାଏ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଦୁଇଦିନିଆ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ‘ଶ୍ରେଣୀ ଗୃହରେ କିପରି ଭାବେ ରଚନାତ୍ମକ ଶୈଳୀରେ ଶିକ୍ଷା ପ୍ରଦାନ ଓ ଛାତ୍ରୀଛାତ୍ରଙ୍କ ଉତ୍ତମ ଭବିଷ୍ୟତ ଗଠନ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ୫୦୦ରୁ ଅଧିକ ଖ୍ୟାତିସମ୍ପନ୍ନ ଶିକ୍ଷକ ଯୋଗଦେଇ ମତ ରଖିଥିଲେ। ‘ସୁପର ୩୦’ର ଆନନ୍ଦ କୁମାର, ଡୁନ୍‌ ସ୍କୁଲର ହେଡ଼ମାଷ୍ଟର ମାଥ୍ୟୁ ରାଗେଟ୍‌ ଏବଂ ଆମେରିକା ଏଏସ୍‌ସିଡିର ନିର୍ଦ୍ଦେଶକ ସିନ୍‌ ସ୍ଲେଡ୍‌ ପ୍ରମୁଖ ଯୋଗଦେଇଥିଲେ।

Share