Categories: ଖେଳ

ସାଇ ହଷ୍ଟେଲ କଟକ ୨-୦ ଗୋଲ୍‌ରେ ବିଜୟୀ

ନୟାଗଡ଼ ଅଫିସ, ୬ା୧୨-୭୮୬ ୟୁଥ୍‌ କ୍ଲବ ସିନ୍ଦୂରିଆ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଫୁଟବଲ୍‌ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ସାଇ ହଷ୍ଟେଲ କଟକ ୨-୦ ଗୋଲରେ ରେଲୱେ ଏଫ୍‌ସିକୁ ହରାଇ ଦେଇଛି। ଖେଳରେ ପ୍ରଥମାର୍ଦ୍ଧର ୫ମ ମିନିଟ ସାଇ ହଷ୍ଟେଲର ଖେଳାଳି ଚନ୍ଦ୍ରା ମୁର୍ମୁ ବିପକ୍ଷ ଦଳକୁ ଗୋଲ୍‌ ଦେଇଥିଲେ। ସେହିଭଳି ଖେଳର ଦ୍ୱିତୀୟାର୍ଦ୍ଧରେ ସାଇ ହଷ୍ଟେଲ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ ଏସ୍‌. ତ୍ରିନାଥ। ଏହାପରେ ଆଉ କୌଣସି ଖେଳାଳି ସ୍କୋର ଲାଇନ ଉପରେ ପ୍ରଭାବ ପକାଇ ପାରି ନ ଥିଲେ। ଫଳରେ ସାଇ ହଷ୍ଟେଲ ୨-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଘରୋଇ ବସ୍‌ ମାଲିକ ସଭାପତି ମନୋଜ କୁମାର ନାୟକ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ଶେଖ ୟୁସୁବ ପ୍ରମୁଖ ଉପସ୍ଥିତ ଥିଲେ। ରେଫରି ଭାବେ ଭୀମ ଛତ୍ରୀ ଖେଳ ପରିଚାଳନା କରିଥିବା ବେଳେ ଅଶୋକ କହଁର, କୀର୍ତ୍ତିରଞ୍ଜନ ସ୍ବାଇଁ, ରାଜୁ ମହାନ୍ତି ସହାୟତା କରିଥିଲେ। ଆଶୁତୋଷ ମିଶ୍ର, ଗଣେଶ୍ୱର ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିଲେ। ଶୁକ୍ରବାର କେରଳ ଇଲେକ୍ଟ୍ରିସିଟି ବୋଡ ଓ ବାରକୋଟ ଭୁବନେଶ୍ୱର ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ।

Share