Categories: ଖେଳ

ସାଉଥ୍‌ ଏସିଆନ ଗେମ୍ସ: ରେକର୍ଡ ପଦକ ଜିତିଲା ଭାରତ

କାଠମାଣ୍ଡୁ, ୧୧ା୧୨ (ପି.ଟି.)- ସାଉଥ୍‌ ଏସିଆନ ଗେମ୍ସ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ଆଞ୍ଚଳିକ ବହୁବିଧ ସ୍ପୋର୍ଟିଂ ଇଭେଣ୍ଟରେ ଭାରତ ସର୍ବାଧିକ ମୋଟ ୩୧୨ ପଦକ ଜିତି ରେକର୍ଡ ପ୍ରତିଷ୍ଠା କରିଛି। ଦେଶ କ୍ରମାଗତ ୧୩ଥର ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛି। ୧୦ ଦିନ ଧରି ଚାଲିଥିବା ସାଉଥ ଏସିଆନ ଗେମ୍ସର ୧୩ତମ ସଂସ୍କରଣରେ ଭାରତ ୧୭୪ ସ୍ବର୍ଣ୍ଣ, ୯୩ ରୌପ୍ୟ ଏବଂ ୪୫ ବ୍ରୋଞ୍ଜ ପଦକ ଲାଭ କରିଛି। ୨୦୧୬ ଗୁଆହାଟି ଓ ଶିଲଂରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ୩୦୯ (୧୮୯ ସ୍ବର୍ଣ୍ଣ, ୯୦ରୌପ୍ୟ ଓ ୩୦ ବ୍ରୋଞ୍ଜ) ପଦକ ଲାଭ କରି ରେକର୍ଡ କରିଥିଲା। ୨୦୧୬ ତୁଳନାରେ ଏଥର କିନ୍ତୁ ଭାରତ ୧୫ଟି କମ୍‌ ସ୍ବର୍ଣ୍ଣ ପଦକ ଜିତିଛି। ଚଳିତ ସଂସ୍କରଣ ପାଇଁ ଭାରତ ୪୮୭ ଆଥଲେଟ ପଠାଇଥିଲା। ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆୟୋଜକ ନେପାଳ ମୋଟ ୨୦୬ ପଦକ(୫୧ ସ୍ବର୍ଣ୍ଣ, ୬୦ ରୌପ୍ୟ ଓ ୯୫ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ତୃତୀୟ ସ୍ଥାନରେ ରହିଥିବା ଶ୍ରୀଲଙ୍କା ୨୧୫ ପଦକ (୪୦ ସ୍ବର୍ଣ୍ଣ, ୮୩ ରୌପ୍ୟ ଓ ୧୨୮ ବ୍ରୋଞ୍ଜ) ଜିତିଛି। ୧୯୮୪ରେ ସାଉଥ୍‌ ଏସିଆନ ଗେମ୍ସ ଆରମ୍ଭ ହେବାପରଠାରୁ ଭାରତ ପ୍ରଥମ ସ୍ଥାନ ଅଧିକାର କରିଆସୁଛି। ମଙ୍ଗଳବାର ଅନ୍ତିମ ଦିସବରେ ଭାରତ ୧୮ ପଦକ (୧୫ ସ୍ବର୍ଣ୍ଣ, ୨ରୌପ୍ୟ ଓ ୧ ବ୍ରୋଞ୍ଜ) ହାସଲ କରିଛି। ବକ୍ସରମାନେ ୬ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପାଇଛନ୍ତି। ପୁରୁଷ ଓ ମହିଳା ବାସ୍କେଟବଲ୍‌ ଫାଇନାଲରେ ଭାରତ ଯଥାକ୍ରମେ ଶ୍ରୀଲଙ୍କା (୧୦୧-୬୨) ଓ ଆୟୋଜକ ନେପାଳ (୧୨୭-୪୬)କୁ ପରାସ୍ତ କରି ଉଭୟ ବିଭାଗରେ ସ୍ବର୍ଣ୍ଣ ଜିତିଛି। ସ୍କ୍ବାସ୍‌ରେ ଯତାକ୍ରମେ ମହିଳା ଓ ପୁରୁଷ ଇଭେଣ୍ଟରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ବକ୍ସରମାନେ ପ୍ରଭାବୀ ପ୍ରଦର୍ଶନ ସହ ଦେଶ ପାଇଁ ୧୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି।

Share