ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଦାନ କଲେ ୧.୨୫ କୋଟି ଟଙ୍କା

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀକୁ ନେଇ ସାରା ବିଶ୍ୱରେ ସଂଘର୍ଷ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସମସ୍ତେ ଏବେ ସହାୟତାର ହାତ ବଢ଼ାଇଛନ୍ତି। ଉଦ୍ୟୋଗ ଜଗତଠାରୁ ଆରମ୍ଭ କରି ଖେଳାଳି ଓ ସେଲିବ୍ରିଟି କରୋନାକୁ ହରାଇବା ପାଇଁ ଯଥାସମ୍ଭବ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ମଧ୍ୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଏଥିପାଇଁ ସେ ୧କୋଟି ୨୫ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଏନେଇ ଅର୍ଜୁନ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରି ଘୋଷଣା କରିଛନ୍ତି। ଏଥିସହ ଟୁଇଟ କରି ସେ ଲେଖିଛନ୍ତି, କୋଭିଡ-୧୯ ଯୋଗୁ ସାଧାରଣ ଜୀବନଯାପନ ଏକପ୍ରକାର ଠପ୍‌ ହୋଇଯାଇଛି। ତେଣୁ ଏହି କଷ୍ଟକର ସମୟରେ ସେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳର ଲୋକଙ୍କ ପାଇଁ ୧କୋଟି ୨୫ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ମହାମାରୀକୁ ସମସ୍ତେ ମିଳିମିଶି ଲଢ଼ିବା ସହ ଖୁବ୍‌ଶୀଘ୍ର ଏହାକୁ ଶେଷ କରିବା ବୋଲି ଆଶା କରୁଛି। ତେଣୁ ସମସ୍ତେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ଅର୍ଜୁନ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ଏହା ପୂର୍ବରୁ ରଜନୀକାନ୍ତ, ପବନ କଲ୍ୟାଣ ଓ ରାମ ଚରଣ ସମେତ କେତେକ ସାଉଥ୍‌ ସୁପରଷ୍ଟାର ଆର୍ଥିକ ସହାୟତା ପାଇଁ ଘୋଷଣା କରିସାରିଛନ୍ତି।

Share