ସାକ୍ଷୀଗୋପାଳଙ୍କ ଫଟୋ ଭାଇରାଲ: ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ

ସାକ୍ଷୀଗୋପାଳ,୧୮।୬(ଡି.ଏନ.ଏ.): ପୁରୀ ଜିଲା ସାକ୍ଷୀଗୋପାଳରେ ଅବସ୍ଥିତ ଶ୍ରୀସାକ୍ଷୀଗୋପାଳ ଓ ଶ୍ରୀରାଧାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶ୍ରୀକ୍ଷେତ୍ର ଇତିହାସ ନାମକ ଏକ ଫେସବୁକ ସାଇଟ୍‌ରେ ଗତ ୧୫ ତାରିଖରେ ମନ୍ଦିର ଗର୍ଭଗୃହ, ରତ୍ନ ସିଂହାସନ ସହିତ ଠାକୁରଙ୍କ ଫଟୋ ସମ୍ପୁର୍ଣ୍ଣ ପ୍ରକାଶ ପାଇଥିବା ଦେଖାଯାଇଛି। ଏହି ଘଟଣାକୁ ନେଇ ସେବାୟତଙ୍କଠାରୁ ପ୍ରଶାସନ ଓ ସ୍ଥାନୀୟ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। ସତ୍ୟବାଦୀ ଗୋପୀନାଥଦେବ ମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ସତ୍ୟବାଦୀ ଥାନାରେ ଅଭିଯୋଗ କରାଯାଇଛି ବୋଲି ଅତିରିକ୍ତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ପରମ୍ପରା ଓ ସୁରକ୍ଷା ଦୃଷ୍ଟିରୁ ସାକ୍ଷୀଗୋପାଳ ମନ୍ଦିର ଭିତରେ ଫଟୋ ଉଠାଇବାକୁ ବାରଣ କରାଯାଇଛି। ଏଥିପାଇଁ ସିଂହଦ୍ୱାରରେ ଏକ ସୂଚନା ଫଳକ ରଖାଯାଇଛି। ସିଂହଦ୍ୱାର, ଗର୍ଭଗୃହ ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଏମାନଙ୍କ ଦୃଷ୍ଟି ଆଢୁଆଳରେ ମନ୍ଦିର ଭିତରକୁ କ୍ୟାମେରା କିମ୍ବା ସ୍ମାର୍ଟଫୋନ ନେଇ କେହି ଫଟୋ ଉଠାଇ ଭାଇରାଲ କରିଥିବା କୁହାଯାଉଥିଲେ ମଧ୍ୟ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇନାହିଁ। କରୋନା କଟକଣା ପାଇଁ ମନ୍ଦିର ଭିତରକୁ ସାଧାରଣ ଭକ୍ତମାନଙ୍କ ପ୍ରବେଶ ବାରଣ ରହିଛି ଏବଂ ସିସିଟିଭି କ୍ୟାମେରା ଲଗାଯାଇଛି। ସବୁ ଦିଗରୁ ତଦନ୍ତ କରିବାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ସ୍ବାଇଁ କହିଛନ୍ତି । ସେବାୟତ ସଂଘ କର୍ମକର୍ତ୍ତା ଶ୍ୟାମ ସୁନ୍ଦର ମହାପାତ୍ର ଘଟଣାର ଦୃଢ ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ କରୋନା ସମୟରେ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ ମାନେ ଏହି ଦିବ୍ୟ ଦର୍ଶନ ପାଇବା ପରେ ନିଜକୁ ଭାଗ୍ୟବାନ ମନେ କରିଥିବା ସୋସିଆଲ ମିଡିଆରେ ନିଜର ଭାବନା ବ୍ୟକ୍ତ କରିଥିବା ଦେଖାଯାଇଛି।