ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ: ସେବାୟତ-ପ୍ରଶାସନ ମୁହାଁମୁହିଁ, ୩୦ ମିନିଟ ଦର୍ଶନ ବନ୍ଦ

ସାକ୍ଷୀଗୋପାଳ, ୫।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ପ୍ରସିଦ୍ଧ ଅଁଳାନବମୀ ଉପଲକ୍ଷେ ରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଲାଗିଛି। ରାତ୍ର ୧ଟାରୁ ଦ୍ୱାର ଫିଟାଯାଇ ଭୋରସୁଦ୍ଧା ଦେବ ନୀତି ସମାପନ ହୋଇଥିଲା। ସାକ୍ଷୀଗୋପାଳ ଠାକୁରଙ୍କ ଆକର୍ଷଣୀୟ ନଟବର ବେଶ ଓ ମା’ ରାଧାରାଣୀଙ୍କ ପାରମ୍ପରିକ ଓଡ଼ିଆଣୀ ବେଶ ଅନୁଷ୍ଠିତ ହୋଇଛି। ନିର୍ଦ୍ଧାରିତ ସମୟର ୪୫ ମିନିଟ ପୂର୍ବରୁ ଅର୍ଥାତ୍‌ ଭୋର ୫.୪୫ ମିନିଟରେ ମନ୍ଦିରରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ମାତ୍ର ଦେବ ନୀତି ସରିବା ପରେ ସେବାୟତ ପରିବାର ବର୍ଗଙ୍କ ଦର୍ଶନ ପାଇଁ ଦକ୍ଷିଣ ଦ୍ୱାର ଖୋଲା ରହିଥିଲା। ମାତ୍ର ସାଧାରଣ ଭକ୍ତଙ୍କୁ ଅରୁଣସ୍ତମ୍ଭ ନିକଟକୁ ଛଡ଼ା ନ ଯିବା ଘଟଣାକୁ ନେଇ ସେବାୟତ ଓ ପ୍ରଶାସନ ମୁହାଁମୁହିଁ ହୋଇଥିଲେ। ଫଳରେ ସେବାୟତମାନେ ସେବାନୀତି ଛାଡି ନବଗ୍ରହ ଦ୍ୱାର ବନ୍ଦ କରି ମନ୍ଦିର ଭିତରେ ଧାରଣା ଦେଇଥିଲେ। ପୁରୀ ଉପଜିଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍‌ପି ପ୍ରତାପ କୁମାର ସ୍ବାଇଁ, ଏସ୍‌ଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ବିଡିଓ ଓ ଆଇଆଇସି ସେବାୟତଙ୍କ ସହ ଆଲୋଚନା କରିଥିଲେ। ଏହା ସମାଧାନ ହେବା ପର୍ଯ୍ୟନ୍ତ ପ୍ରାୟ ୩୦ ମିନିଟ ମା’ଙ୍କ ପାଦ ଦର୍ଶନ ବନ୍ଦ ରହିଥିଲା। ଶ୍ରଦ୍ଧାଳୁମାନେ ବ୍ୟାରିକେଡ ଭିତରେ ସିଂହଦ୍ୱାରଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି। ରାଧା ପାଦ ଦର୍ଶନ ପରେ ବେଢ଼ା ଭିତରେ ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କରି ବନ୍ଦାପନା କରୁଥିବା ଦେଖିବାକୁ ମିଳୁଛି। ସକାଳେ ମନ୍ଦିରରେ ଭିଡ ରହିଥିବା ବେଳେ ମଧ୍ୟାହ୍ନରେ ଭିଡ଼ କମ୍‌ ରହିଛି। ତେବେ ଓଡ଼ିଆ ବେଶରେ ମା’ ରାଧାରାଣୀ ପାଟଶାଢ଼ୀ କାଣିଆକଚ୍ଛାମାରି ପରିଧାନ କରିଛନ୍ତି। ପୁରୁଣା ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ପାଦପଦ୍ମ, ଟୁଣ୍ଡିଆ, ପାଉଁଜି, ବାଙ୍କି, ନୂପୁର, ବେଙ୍ଗପାଟିଆ , ଦ୍ରାବିଡ ଚନ୍ଦ୍ର ହାର, ବେବତୀ ହାରରେ ମା’ ଭୂଷିତ ହୋଇଛନ୍ତି।