Advertisement

ସାକ୍ଷୀଗୋପାଳ ମନ୍ଦିରରେ ଭିତର ଚନ୍ଦନ ନୀତି: କଦମ୍ବ ବୃକ୍ଷ ଡାଳରେ ଦର୍ଶନ ଦେଲେ ଠାକୁର

ସାକ୍ଷୀଗୋପାଳ, ୩୦।୫(ଡି.ଏନ୍‌.ଏ.)-ସାକ୍ଷୀଗୋପାଳ ମନ୍ଦିରରେ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ନୀତି ଚାଲିଛି। ତନ୍ମଧ୍ୟରେ ଠାକୁରଙ୍କର ଆକର୍ଷଣୀୟ ଜଳକ୍ରୀଡା ବେଶ ଏକାଦଶୀ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଠାକୁର କଦମ୍ବ ବୃକ୍ଷ ଡାଳରେ ଗୋଡ ଲମ୍ବାଇ ବସି ବଂଶୀ ବାଦନ କରୁଥିବା ଦୃଶ୍ୟ ଶ୍ରଦ୍ଧାଳୁ ମାନଙ୍କ ମନକୁ ଛୁଇଁଥିଲା। ସେହିପରି ସିଂହାସନ ତଳେ ବିବସ୍ତ୍ର ଗୋପାଙ୍ଗନା ମାନେ ଲଜ୍ଜା ଢ଼ାଙ୍କିବାକୁ ବସ୍ତ୍ର ଫେରାଇ ଦେବାକୁ ଠାକୁରଙ୍କୁ ନିବେଦନ କରୁଥିବାର ଦୃଶ୍ୟ ନିଆରା ଆକର୍ଷଣ ସାଜିଥିଲା। ରତ୍ନ ସିଂହାସନ ଉପରେ ସର୍ବଦା ଦଣ୍ଡାୟମାନ ସାକ୍ଷୀଗୋପାଳ ଠାକୁରଙ୍କ ଛନ୍ଦା ଚରଣକୁ ଆବୃତ କରାଯାଇଥିଲା। ସୋଲରେ ତିଆରି ଫୁଲପତ୍ରରେ ଭରା ଏକ କୃତ୍ରିମ କଦମ୍ବବୃକ୍ଷ, ଠାକୁରଙ୍କ ଖଞ୍ଜାଗୋଡ, ଅଷ୍ଟସଖୀଙ୍କର ବିବିସ୍ତ୍ର ମୂର୍ତ୍ତି ତିଆରି କରାଯାଇଥିଲା। ଦ୍ୱିପ୍ରହର ଧୂପ ବେଶରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। କଟି ଦେଶରୁ ଖଞ୍ଜାଗୋଡ ଦୁଇଟି ଲଗାଯାଇ ପାଟ ପିତାମ୍ବରୀ ବସ୍ତ୍ର, ପାଉଁଜି, ବାଙ୍କୀ, ବେଙ୍ଗପାଟିଆ, ଚାପସରୀ, ତାବିଜ, ସୁବର୍ଣ୍ଣବଂଶୀ, ହୀରା ମୁଦ୍ରିକା, ମକର କୁଣ୍ଡଳ, ସୁବର୍ଣ୍ଣ, କୀରଟି ଠାକୁର ପରିଧାନ କରିଥିଲେ। ମନ୍ଦିରରେ ଅନୁଷ୍ଠିତ ହେଉଥିବା ୪ଟି ଜଳକ୍ରୀଡା ମଧ୍ୟରୁ ଏହା ପ୍ରଥମ ଜଳକ୍ରୀଡା ବୋଲି କହନ୍ତି ମନ୍ଦିର ପୂଜାପଣ୍ଡା ରଘୁନାଥ ମହାପାତ୍ର। ଅନେକ ବର୍ଷହେଲା ଏହି ବେଶ ୫୫୦ ଘର ରଙ୍ଗଣୀ ସମିତି ପକ୍ଷରୁ ପ୍ରତିବର୍ଷ ଅୟୋଜନ କରାଯାଉଛି ବୋଲି ସମିତିର ସଭାପତି ଚକ୍ରଧର ନାୟକ କହିଛନ୍ତି। ଏଥିସହିତ ଜଳକ୍ରୀଡା ଏକାଦଶୀ, ସାବୀତ୍ରି ଅମାବାସ୍ୟା, ଶିତଳଷଷ୍ଠୀ ଓ ଚମ୍ପକ ଦ୍ୱାଦଶୀରେ ଏଥିପାଇଁ ସ୍ବତନ୍ତ୍ର ଦେବନୀତି, ପୁଜାର୍ଚ୍ଚନା କରାଯାଇଥାଏ। ଏହି ଦିନଗୁଡିକରେ ଠାକୁରଙ୍କ ବିଜେ ପ୍ରତିମା ମଦନ ମୋହନ ଭିତର ଚନ୍ଦନ ନୀତି ପାଇଁ ମନ୍ଦିର ପରିଷର ରେ ଥିବା ଜଳକ୍ରୀଡା ମନ୍ଦିରକୁ ବିଜେହୋଇ ଆସନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel