ଲକ୍ଷ୍ନୌ,୧୫।୭: ବରେଲିର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ କନ୍ୟା ସାକ୍ଷୀ ଏବଂ ତାଙ୍କ ସ୍ବାମୀଙ୍କୁ ଏଣିକି ପୋଲିସ ସୁରକ୍ଷା ଯୋଗାଇ ଦିଆଯିବ। ସୋମବାର ଆହ୍ଲାବାଦ୍ ହାଇକୋର୍ଟ ଏହି ଆଦେଶ ଦେଇଛନ୍ତି। ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ବାମୀ ଅଜିନେଶ୍ଙ୍କ ଜୀବନ ପ୍ରତି ବିପଦ ଥିବା ଆବେଦନର ବିଚାର କରି ବିଚାରପତି ସିଦ୍ଧାର୍ଥ ବର୍ମା ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଦଳିତ ଯୁବକ ଅଜିନେଶ୍ଙ୍କୁ ବିବାହ କରିଥିବାରୁ ତାଙ୍କ ପିତା ତଥା ଅନ୍ୟ କିଛି ଲୋକ ସେମାନଙ୍କୁ ଜୀବନରେ ମାରି ଦେବାକୁ ଷଡ଼ଯନ୍ତ୍ର କରୁଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନେଇ ସାକ୍ଷୀ ଆହ୍ଲାବାଦ୍ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ।