ବରେଲି,୧୫।୭: ଉତ୍ତର ପ୍ରଦେଶର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ଜଣେ ଦଳିତ ଯୁବକଙ୍କୁ ବିବାହ କରିବା ପରେ ଏହାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ଖବର ଆସୁଛି। ଏହାକୁ ନେଇ ଏବେ ପ୍ରସିଦ୍ଧ ଲୋକ ସଙ୍ଗୀତ ଗାୟିକା ପଦ୍ମଶ୍ରୀ ମାଲିନୀ ଅଓ୍ବସ୍ତି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ ଝିଅମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ପ୍ରେମ ବିବାହ କର, ନିଜ ଇଚ୍ଛାରେ ଜୀବନ ସାଥୀ ବାଛ ହେଲେ ଜନ୍ମଦାତାଙ୍କୁ ସର୍ବ ସମ୍ମୁଖରେ ଏମିତି ଅପମାନ କର ନାହିଁ। ମାଲିନୀଙ୍କର ଏହି ମନ୍ତବ୍ୟକୁ କେତେକ ବ୍ୟକ୍ତି ସ୍ବାଗତ ଜଣାଇଥିବା ବେଳେ ଆଉ କେତେଜଣ ଏହାର ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ବିବାହ ପରେ ସାକ୍ଷୀ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଉକ୍ତ ଭିଡିଓରେ ସାକ୍ଷୀ କହିଥିଲେ କି ସେ ଦଳିତ ଯୁବକଙ୍କୁ ପତି ହିସାବରେ ଗ୍ରହଣ କରିବାରୁ ତାଙ୍କ ଭାଇ ଓ ପିତା ତାଙ୍କୁ ମାରି ଦେବାକୁ ଯୋଜନା କରୁଛନ୍ତି। ଏହାପରେ ଏହି ଭିଡିଓ ଭାଇରାଲ ହେବାରୁ ତାଙ୍କ ପିତା ଏଭଳି କାର୍ଯ୍ୟ କରିବାକୁ ଆଦୌ ଚିନ୍ତା କରି ନାହାଁନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ। ଆଉ ଶେଷରେ ସେ କହିଥିଲେ ଯଦି ଝିଅର ବିବାହକୁ ନେଇ ତାଙ୍କୁ ବେଶି ହଇରାଣ କରାଯାଏ ତେବେ ସେ ଆତ୍ମହତ୍ୟା କରିବେ।