Categories: ଖେଳ

ସାଙ୍ଗଓ୍ବାନଙ୍କ ଉପରୁ ବାସନ୍ଦ ଉଠିଲା

ନୂଆଦିଲ୍ଲୀ, ୩ା୩ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଅପିଲ ପ୍ୟାନେଲ ପୂର୍ବତନ ଏସିଆନ ରୌପ୍ୟ ପଦକ ବିଜୟୀ ବକ୍ସର ସୁମିତ ସାଙ୍ଗଓ୍ବାନ (୯୧କେଜି)ଙ୍କ ଉପରୁ ୧ବର୍ଷିଆ ବାସନ୍ଦ ଦଣ୍ଡକୁ ଉଠାଇ ଦେଇଛି। ସୁମିତ ଜାଣିଶୁଣି ନିଷିଦ୍ଧ ଦ୍ରବ୍ୟ ସେବନ କରି ନ ଥିବା ପ୍ୟାନେଲ ଦର୍ଶାଇଛି। ସୋମବାର ହୋଇଥିବା ଶୁଣାଣିରେ ବକ୍ସର ଜଣକ ଦୋଷମୁକ୍ତ ହୋଇଛନ୍ତି। ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ)ର ଜଣେ ଅଫିସିଆଲଙ୍କ କହିଛନ୍ତି ସାଙ୍ଗଓ୍ବାନ ଜାଣିଶୁଣି କୌଣସି ନିଷିଦ୍ଧ ଦ୍ରବ୍ୟ ସେବନ କରି ନ ଥିବା ନାଡା ପ୍ୟାନେଲର ସେ ହୃଦ୍‌ବୋଧ କରାଇବାରେ ସକ୍ଷମ ହୋଇଥିଲେ। ଏଷ୍ଟାଜୋଲାମାଇଡ୍‌ ପାଇଁ ଡୋପ୍‌ ଟେଷ୍ଟରେ ଧରାପଡ଼ିବା ଦ୍ୱାରା ସାଙ୍ଗଓ୍ବାନ ୨୦୧୯ ଡିସେମ୍ବରୁ ଏକ ବର୍ଷ ପାଇଁ ବାସନ୍ଦ ହୋଇଥିଲେ। ପ୍ୟାନେଲ ତାଙ୍କୁ ଦୋଷମୁକ୍ତ କରିଥିବାରୁ ମୋତେ ବଡ଼ ଆଶ୍ୱସ୍ତି ମିଳିଛି ବୋଲି ଭାରତୀୟ ବକ୍ସର ଜଣକ କହିଛନ୍ତି। ପ୍ରଥମ ଶୁଣାଣି ବେଳେ ମୁଁ କେତେକ ମେଡିକାଲ ରିପୋର୍ଟ ଦାଖଲ କରି ପାରି ନ ଥିଲି, ଯାହା ଫଳରେ ମୋତେ ସେତେବେଳେ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ୨୭ବର୍ଷୀୟ ଅନ୍ତର୍ଜାତୀୟ ପଦକଧାରୀ କହିଛନ୍ତି, ଆଖିରେ ସଂକ୍ରମଣ ଯୋଗୁ ମୋତେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବାକୁ ପଡ଼ିଥିଲା। ସେତେବେଳେ ମୋତେ ଖୁବ୍‌ ଯନ୍ତ୍ରଣା ହୋଇଥିଲା। ଏପରିକି ମୁଁ ମୋ ଆଖିଖୋଲି ପାରି ନ ଥିଲି। ମୋ ଶରୀରରେ କ’ଣ ଘଟୁଛି ତାହା ମୁଁ ବୁଝିପାରୁ ନ ଥିଲି। ମୋ ଶରୀରେ ଏଷ୍ଟାଜୋଲାମାଇଡ୍‌ର ପ୍ରଭାବ ୧୩ ଦିନ ପର୍ଯ୍ୟନ୍ତ ରହିଥିଲା। ସେ ସମୟରେ ନ୍ୟାଶନାଲ କ୍ୟାମ୍ପରେ ମୋର ଓଜନ କରାଯାଇଥିଲା। ମୋ ଯକୃତର ଆକାର ବୃଦ୍ଧି ପାଇଥିଲା। ଅପିଲ ପ୍ୟାନେଲ ନିକଟରେ ଏସମ୍ପର୍କିତ ମେଡିକାଲ ରିପୋର୍ଟ ଉପସ୍ଥାପନ ଦ୍ୱାରା ମୁଁ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିପାରିଥିଲି। ୨୦୧୨ ଅଲିମ୍ପିଆନ ସସ୍‌ପେଣ୍ଡ ହେବା ଦ୍ୱାରା ମଙ୍ଗଳବାରଠାରୁ ଜୋର୍ଡାନର ଅମାନଠାରେ ହେବାକୁଥିବା ଅଲିମ୍ପିକ କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟ ପାଇଁ ଟ୍ରାଏଲ୍ସରୁ ବଞ୍ଚତ୍ତ ହେବାକୁ ପଡ଼ିଛି। ଦୋଷ ମୁକ୍ତ ହେବାପରେ ନ୍ୟାଶନାଲ କ୍ୟାମ୍ପରେ ସାମିଲ ହେବାଲାଗି ତାଙ୍କୁ ଅନୁମତି ଦେବା ଲାଗି ସେ ମହାସଂଘ ନିକଟକୁ ଚିଠି ଲେଖିଛନ୍ତି। ଗତବର୍ଷ ଅକ୍ଟୋବରରେ ପ୍ରତିଯୋଗିତା ବାହାରେ ସାଙ୍ଗଓ୍ବାନଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା।

Share