Categories: ଜାତୀୟ

ସାଟେଲାଇଟ୍‌ ଫଟୋରେ ଭୂସ୍ଖଳନର ଭୟାବହ ଚିତ୍ର

ନୂଆଦିଲ୍ଲୀ,୨ା୮:ଭାରତୀୟ ସାଟେଲାଇଟ୍‌ର ହାଇରିଜଲ୍ୟୁଶନ ଫଟୋରୁ ଓ୍ବାୟନାଡ୍‌ ଭୂସ୍ଖଳନର ବ୍ୟାପକ ଧ୍ୱଂସଲୀଳା ସାମ୍‌ନାକୁ ଆସିଛି। ପ୍ରାୟ ୮୬,୦୦୦ ବର୍ଗମିଟର ଜମି ଧସିଯାଇଥିବାବେଳେ ଇରୁବାଇଫୁଝା ନଦୀର ଉଭୟ ପାର୍ଶ୍ୱରେ ୮ କିଲୋମିଟର ପର୍ଯ୍ୟନ୍ତ ମାଟି, ପଥର ଓ ଭଗ୍ନାବଶେଷ ମାଡ଼ିଯାଇଥିବା ଭସ୍ଖଳନର ପୂର୍ବ ଓ ପରବର୍ତ୍ତୀ ସାଟେଲାଇଟ୍‌ ଇମେଜରୁ ଜଣାପଡ଼ିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ରିପୋର୍ଟରେ ଉକ୍ତ ସ୍ଥାନର ପୁରୁଣା ଓ ବର୍ତ୍ତମାନର ଭୂସ୍ଖଳନର ପ୍ରମାଣ ଦିଆଯାଇ ଏହାର ଭୟାବହତା ଦର୍ଶାଯାଇଛି। ଇସ୍ରୋର ହାଇଦ୍ରାବାଦସ୍ଥିତ ନ୍ୟାଶନାଲ ରିମୋଟ୍‌ ସେନ୍ସିଂ ସେଣ୍ଟର ମୁତୟନ କରିଥିବା ହାଇରିଜଲ୍ୟୁଶନ କାର୍ଟୋସାଟ୍‌-୩ ଅପ୍ଟିକାଲ ସାଟେଲାଇଟ୍‌ ଏବଂ ରିସାଟ୍‌ ସାଟେଲାଇଟ୍‌ ବାଦଲ ମଧ୍ୟଦେଇ ଓ୍ବାୟନାଡ୍‌ ଭୂକମ୍ପ ଅଞ୍ଚଳକୁ ଦେଖିବାରେ ସମର୍ଥ ହୋଇଛି। ସମୁଦ୍ର ପତ୍ତନଠାରୁ ୧,୫୫୦ ମିଟର ଉଚ୍ଚରେ ଭୂସ୍ଖଳନର ଉତ୍ପତ୍ତି ସ୍ଥଳ ଥିଲା ବୋଲି ଇସ୍ରୋ କହିଛି। ଓ୍ବାୟନାଡ୍‌ର ଉକ୍ତ ଅଞ୍ଚଳରେ ପୂର୍ବରୁ ଭୂସ୍ଖଳନ ହୋଇଥିବା ସାଟେଲାଇଟ୍‌ ଚିତ୍ରରୁ ପ୍ରମାଣିତ ହୋଇଛି। ୨୦୨୩ରେ ଇସ୍ରୋ ପ୍ରସ୍ତୁତ କରିଥିବା ‘ଲ୍ୟାଣ୍ଡସ୍ଲାଇଡ୍‌ ଆଟଲାସ୍‌ ଅଫ୍‌ ଇଣ୍ଡିଆ’ରେ ଓ୍ବାୟନାଡ୍‌ ଅଞ୍ଚଳରେ ଭୂସ୍ଖଳନ ଭୟ ରହିଥିବା ଉଲ୍ଲେଖ କରାଯାଇଥିଲା।

Share