ସାଡ଼ିଙ୍ଗିଆ, ପାଙ୍ଗା ପଞ୍ଚାୟତରେ ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ, ୩ା୯- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ଓ ପାଙ୍ଗା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି। କେକେବିଏନ ଡିଭିଜନର କାନ୍ଥ ପତ୍ରିକା (ୱାଲ ମାଗାଜିନ) ବିପ୍ଲବୀ ଡେଙ୍ଗୁରା ନାମରେ ରବିବାର ରାତିରେ ଏସବୁ ପୋଷ୍ଟର ଲଗାଯାଇଛି ା ଏଥିରେ ସରକାର ଚାଷୀମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରାଯାଇଛି। ସେହିପରି କେନ୍ଦ୍ର ସରକାର କନ୍ଧମାଳରେ ଆହୁରି ୪ଟି ସିଆର୍‌ପିଏଫ୍‌ କ୍ୟାମ୍ପ ସ୍ଥାପନ କରୁଥିବାରୁ ତାହାକୁ ମଧ୍ୟ ବିରୋଧ କରାଯାଇଛି ା ଏଥିସହ ଗଣମାଧ୍ୟମକୁ ବି ଉକ୍ତ ପୋଷ୍ଟରରେ ସମାଲୋଚନା କରାଯାଇଛି ା ଏବେ ଯେଉଁସବୁ ଯୋଜନା ପ୍ରଣୟନ ହେଉଛି ଅବା ଉନ୍ନତି ହେଉଛି ତାହା କେବଳ ମାଓବାଦୀଙ୍କ ଆନ୍ଦୋଳନ ପାଇଁ ା ଗଣମାଧ୍ୟମ ଏହା ଉପସ୍ଥାପନ ନ କରି କେବଳ ସରକାରଙ୍କ ସ୍ବରରେ ସ୍ବର ମିଳାଉଛି ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ମାଓବାଦୀଙ୍କ ବାହାନା ଦେଖାଇ ନିଜ ଦାୟିତ୍ୱ ତୁଲାଉ ନ ଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସିଆର୍‌ପିଏଫ କ୍ୟାମ୍ପ ସ୍ଥାପନ ବଦଳରେ ଜିଲାରେ ଖାଲିଥିବା ଅଧ୍ୟାପକ ଓ ଶିକ୍ଷକ ପଦବୀ ପୂରଣ କରିବା, ଅପହଞ୍ଚ ଇଲାକାରେ କୋମ୍ବିଂ ଅପରେଶନ ବନ୍ଦ କରି ମେଡିକାଲ କ୍ୟାମ୍ପ କରିବାକୁ ପୋଷ୍ଟରରେ ମାଓବାଦୀଙ୍କ ପକ୍ଷରୁ ଦାବି କରାଯାଇଛି।

Share