ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା କରିବା ଲାଗି ପୁଣିଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ: ନବୀନ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ପୁଣିଥରେ କ୍ଷମତାକୁ ଫେରିଛି ବିଜେଡି। ଦଳ ଉପରେ ଭରସା ରଖିବା ସହ ପଞ୍ଚମ ଥର ଲାଗି ଓଡ଼ିଶାର ସେବା କରିବା ଲାଗି ସୁଯୋଗ ଦେଇଥିବାରୁ ନବୀନ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଶନିବାର ସେ ନିଜ ଟୁଇଟର ପୃଷ୍ଠାରେ ଏଭଳି ବାର୍ତ୍ତା ଦେବା ସହ ସମସ୍ତେ ଏକାଠି ହୋଇ ନୂଆ ଓଡ଼ିଶା ଲାଗି କାମ କରିବା ବୋଲି ମତ ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ, ୨୦୧୯ ନିର୍ବାଚନରେ ବିଜେଡି ୧୪୬ ବିଧାନସଭା ଆସନରୁ ୧୧୨ଟି ଜିତିବାରେ ସଫଳ ହୋଇଛି। ସେହିଭଳି ଭାଜପା ୨୩ ଆସନରେ ଜିତିଥିବା ବେଳେ କଂଗ୍ରେସ ମାତ୍ର ୯ଟି, ଅନ୍ୟାନ୍ୟ ୨ଟି ଆସନରେ ଜିତିଛନ୍ତି। ତେବେ ପୂର୍ବରୁ ଭାଜପା ରାଜ୍ୟରେ ୧୨୦+ ବିଧାନସଭା ଆସନ ହାତେଇବ ବୋଲି ପ୍ରୟାସ କରୁଥିବା ବେଳେ ଓଡ଼ିଶାବାସୀ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାକୁ ଯାଉଥିବା ନବୀନଙ୍କ ଏହା ରେକର୍ଡ ବୋଲି କୁହାଯାଉଛି।