ସାଢ଼େ ୩ ହଜାର ଅଚଳ ଉପଗ୍ରହ ଯୋଗୁ ପ୍ରଦୂଷିତ ହେଉଛି ମହାକାଶ: ୨୦୨୫ଠାରୁ ପୃଥିବୀକୁ ଫେରାଇ ଅଣାଯିବ

ଲଣ୍ଡନ,୧୨।୧୨: ଗତ ୬୦ ବର୍ଷ ମଧ୍ୟରେ ମହାକାଶରେ ସାଢ଼େ ୩ ହଜାରରୁ ଅଧିକ ଅଚଳ ଉପଗ୍ରହ ଜମା ହୋଇ ରହିଛି। ଏଠାରେ ସାଢ଼େ ୭ ଲକ୍ଷରୁ ଅଧିକ ଛୋଟ ଛୋଟ ଭଙ୍ଗାରୁଜା ଅଂଶ ମଧ୍ୟ ରହିଛି। ଫଳରେ ମହାକାଶ ପ୍ରଦୂଷିତ ହେବାରେ ଲାଗିଛି। ଘଣ୍ଟାପ୍ରତି ୨୦ ହଜାର କିମି ବେଗରେ ଏହି ଅଚଳ ଉପଗ୍ରହ ଗୁଡ଼ିକ ପୃଥିବୀର ପରିକ୍ରମା କରୁଛନ୍ତି। ଏହା ଦ୍ୱାରା ଭବିଷ୍ୟତରେ ମହାକାଶକୁ ଉପଗ୍ରହ ପଠାଇବାରେ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ୟୁରୋପିଆନ୍‌ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ୨୦୨୫ଠାରୁ ଏସବୁ ଅଚଳ ଉପଗ୍ରହ ଏବଂ ଭଙ୍ଗାରୁଜା ଟୁକୁଡ଼ାକୁ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯିବା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ପ୍ରଥମ ‘ସ୍ପେସ୍‌ ଜଙ୍କ କଲେକ୍ଟର’ ଅଭିଯାନକୁ କି୍ଲୟର ସ୍ପେସ୍‌-୧ ଭାବେ ନାମିତ କରାଯାଇଛି। ସୁଇଜରଲାଣ୍ଡର ଏକ ଷ୍ଟାଟ୍‌ ଅପ୍‌ ଦ୍ୱାରା ଏହା କରାଯିବ। ଏଥି ପାଇଁ ୯୪୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି। ବ୍ରିଟେନ୍‌ ଏହି ଅଭିଯାନ ପାଇଁ ଶହେ କୋଟି ଟଙ୍କାର ସହାୟତା ଯୋଗାଇ ଦେବ ବୋଲି କହିଛି। ଏବେ ମହାକାାରେ ପ୍ରାୟ ୨ ହଜାର ଚଳନକ୍ଷମ ଉପଗ୍ରହ ରହିଛି। ତେବେ ମହାକାଶକୁ ପରିଷ୍କାର ରଖିବା ପ୍ରତିଟି ବିକଶିତ ଦେଶର ପ୍ରଥମ କର୍ତ୍ତବ୍ୟ ବୋଲି ୟୁରୋପିଆନ୍‌ ମହାକାଶ ଗବେଷଣା ସଂସ୍ଥାର ମହାନିର୍ଦ୍ଦେଶକ ଜୈନ୍‌ ବୋର୍ନର କହିଛନ୍ତି। ଏନେଇ ନୂଆ ନିୟମ ପ୍ରଣୟନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Share