Advertisement

ସାଢ଼େ ୯ କୁଇଣ୍ଟାଲ ଗଞ୍ଜେଇ ଜବତ ଘଟଣା: ପୁଣି ଗଞ୍ଜେଇ ଚାଲାଣ ଗାଡ଼ି ମାଲିକ ଗିରଫ

ଫୁଲବାଣୀ ଅଫିସ, ୩୦୭-ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ବାଲନ୍ଦାପଡା ଫାଣ୍ଡି ଅଞ୍ଚଳରେ ପୋଲିସ ୨୧ ତାରିଖରେ ଏକ ଗାଡିରୁ ୯ କୁଇଣ୍ଟାଲ ୫୪ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ୨ ଜଣଙ୍କୁ ଧରିଥିବାବେଳେ ଗାଡି ଜବତ କରିଥିଲେ। ପରେ ସେମାନେ ଫେରାର ହୋଇ ଯାଇଥିଲେ। ସେମାନଙ୍କ ଫେରାର ପଛରେ କେତେଜଣ ପୋଲିସ କର୍ମଚାରୀଙ୍କ ହାତଥିବା ଓ ଅର୍ଥନେଇ ଛାଡି ଦେଇଥିବା ଅଭିଯୋଗ ହୋଇଥିଲା। ପୋଲିସ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିପାରି ନ ଥିବାବେଳେ ଜବତ ହୋଇଥିବା ଗାଡିର ମାଲିକଙ୍କୁ ଶୁକ୍ରବାର ଗିରଫ କରିଛି। ସେ ଏକ ଇନୋଭାରେ ୫୦ କେଜି ଗଞ୍ଜେଇ ନେଇ ଯାଉଥିବବେଳେ ପୋଲିସ ତାଙ୍କୁ ଗିରଫ କରିଛି ା ସେ ହେଲେ କଳାହାଣ୍ଡି ଜିଲା ଆମପାଣି ଥାନା ଡାବ୍ରିଗୁଡାର ରୁପେଶ ସିଂ ବେଶ୍ରା ା
ପୋଲିସ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଧରପଗଡ କରୁଥିବାବେଳେ, ଥାନାଧିକାରୀ ଚିତ୍ତ ରଞ୍ଜନ ବେହେରା ଏହାର ନେତୃତ୍ୱ ନେଇଥିଲେ। ବାଲନ୍ଦାପଡା ଅଞ୍ଚଳରେ ପାଟ୍ରୋଲିଂ ବେଳେ ଏକ ଇନୋଭା(ନଂ.ଓଡି୧୭ଏ- ୦୦୦୬) ସୁଟାଣି ଘାଟିରେ ଯାଉଥିଲ। ଯାଞ୍ଚବେଳେ ସେଥିରୁ ୫୦ କେଜି ଗଞ୍ଜେଇ ମିଳିଥିଲା। ପଚରାଉଚରା କରିବାରୁ ରୂପେଶ ପୂର୍ବରୁ ଜବତ ହୋଇଥିବା ଗାଡିର ମାଲିକ ବୋଲି ଜଣାପଡିଥିଲା। ଏ ନେଇ ନଂ.୪୨/୧୯ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ଥାନାଧିକାରୀଙ୍କୁ ପଚାରିବାରୁ ଅନ୍ୟମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି, ଅଟକ ଯୁବକ ଫେରାର ଘଟଣାର ମଧ୍ୟ ତଦନ୍ତ ଚାଲିଛି। ଏନେଇ ଏସ୍‌ପିଙ୍କୁ ଖୁବ୍‌ଶୀଘ୍ର ରିପୋର୍ଟ ଦିଆଯିବ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share