ସାଢେ ୪ କୋଟି ଓଡିଆଙ୍କ ବିଜୟ : ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨ା୬(ବ୍ୟୁରୋ)-ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କେତେକ ସର୍ତ୍ତ ଅନୁଯାୟୀ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସେ ରାୟରେ ପ୍ରକାଶ କରିଛନ୍ତି। ତେବେ ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରିଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ଏହା ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା। ପ୍ରବଳ ଇଚ୍ଛାଶକ୍ତି ପାଇଁ ସାଢେ ୪ କୋଟି ଓଡିଆଙ୍କ ବିଜୟ ହେଲା। ଓଡିଶା ସରକାର ସଠିକ ଭାବେ କାର୍ଯ୍ୟ କରିବା ନେଇ ଆଶାବାଦୀ। ରଥଯାତ୍ରା ସୁପରିଚାଳନା ପାଇଁ କେନ୍ଦ୍ର ସବୁ ପ୍ରକାର ସହଯୋଗ ଯୋଗାଇବ।

ସାରା ବିଶ୍ୱରେ କୋଟି କୋଟି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଉଛି। ରଥଯାତ୍ରା କେବଳ ଗୋଟିଏ ଉତ୍ସବ ନୁହେଁ ବରଂ ଓଡ଼ିଆ ଭାବାବେଗର ଅବିଚ୍ଛେଦ ଅଙ୍ଗ ବୋଲି ସେ ଟୁଇଟରେ ଉଲ୍ଲେଖ କରିଛନ୍ତି।

Share