Categories: ଅନୁଗୋଳ

ସାତକୋଶିଆ ମହୋତ୍ସବ ଉଦ୍‌ଯାପିତ: ତାଳବାଦ୍ୟ, ଓଡ଼ିଶୀ ନୃତ୍ୟରେ ଦର୍ଶକ ବିମୋହିତ

ଅନୁଗୋଳ ଅଫିସ, ୯।୧୨ – ଅନୁଗୋଳ ଅମଲାପଡ଼ାସ୍ଥିତ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ନୃତ୍ୟ ନିଳୟ ପକ୍ଷରୁ ଚାଲିଥିବା ସପ୍ତମ ସାତକୋଶିଆ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଏବେ ବିଶ୍ୱ ପରିବ୍ୟାପ୍ତ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ଓ ଗୁରୁ ଅନିତା ସିଂହଦେଓ ଯୋଗଦେଇ ଅନୁଗୋଳ ଜିଲାରେ ପର୍ଯ୍ୟଟନ ଏବଂ ସଂସ୍କୃତିର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ହେମନ୍ତ ଦାଶ ନୃତ୍ୟ ନିଳୟର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସମାରୋହରେ ଓଡ଼ିଶାର ବିଶିଷ୍ଟ ମାର୍ଦ୍ଦଳ ଗୁରୁ ଧନେଶ୍ୱର ସ୍ବାଇଁଙ୍କୁ ସାତକୋଶିଆ ସମ୍ମାନ ପ୍ରଦାନ କରାଯାଇଥିଲା। ଅତିଥିମାନେ ଅନୁଷ୍ଠାନର ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିଥିଲେ। ନୃତ୍ୟ ନିଳୟରେ ବିଭିନ୍ନ କୃତୀ ଛାତ୍ରୀମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଗୁରୁ ଧନେଶ୍ୱର ସ୍ବାଇଁ ଓ ସାଥିଙ୍କ ଦ୍ୱାରା ଓଡ଼ିଶୀ ମାର୍ଦ୍ଦଳ ଧ୍ୱନି ପ୍ରତିଧ୍ୱନି, କଟକ ସୁର୍‌ ମନ୍ଦିର ପକ୍ଷରୁ ଜ୍ୟୋତ୍ସ୍ନା ସାହୁଙ୍କ ଓଡ଼ିଶୀ ନୃତ୍ୟ, କଲିକତାରୁ ଆସିଥିବା କାବେରୀ ପୁଇତାଣ୍ଡିଙ୍କ ଦ୍ୱାରା ଗୌଡ଼ୀୟ ନୃତ୍ୟ ଓ ନୃତ୍ୟ ନିଳୟ ପକ୍ଷରୁ ଦଳଗତ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଯଜ୍ଞ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ନୃତ୍ୟ ନିଳୟ ସମ୍ପାଦିକା ସ୍ବପ୍ନାରାଣୀ ସିହ୍ନା ଧନ୍ୟବାଦ ଅର୍ପଣ କରିଥିଲେ।