ସାତସିମିଳିରେ ପାନୀୟ ଜଳ ସାତ ସପନ: ଅଚଳ ଜଳ ପ୍ରକଳ୍ପ, ଭାଙ୍ଗିଲାଣି ଷ୍ଟାଣ୍ଡପୋଷ୍ଟ

ନନ୍ଦପୁର,୪ା୧୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ ସାତସିମିଳି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ ରୂପେ ବନ୍ଦ ହୋଇ ପଡ଼ିଛି। ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ମଧ୍ୟ ଭାଙ୍ଗିଗଲାଣି। ଏହି ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ପରିବାର ପାଇଁ କୋଡ଼ିଏ ଲକ୍ଷ ଟଙ୍କା ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିରେ ଗ୍ରାମରେ ୧୦ଟି ଷ୍ଟାଣ୍ଡ ପୋଷ୍ଟ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ଗ୍ରାମବାସୀ ଭାବିଥିଲେ ଜଳ ସମସ୍ୟା ଦୂର ହେବ। କିନ୍ତୁ କିଛି ଦିନ ଜଳ ଯୋଗାଣ ହେବ ପରେ ତାହା ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଗ୍ରାମବାସୀ ଗୋଟିଏ କୂଅ ଏବଂ ଦୁଇଟି ନଲକୂପ ଉପରେ ନିର୍ଭର କରୁଛନ୍ତି। କୂଅ ଏବଂ ନଳକୂପର ପାଣି ଯଥେଷ୍ଟ ନ ହେବାରୁ ଚୁଆପାଣି ବ୍ୟବହାର କରିବାକୁ ସେମାନେ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଜଳ ଯୋଗାଣ ବନ୍ଦ ହେବା ଯୋଗୁ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିରୁଜି ଗଲାଣି। ବିଭାଗୀୟ ଉଦାସୀନତା ଯୋଗୁ ଜଳ ଯୋଗାଣ କେନ୍ଦ୍ର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି। ଏଠାକୁ ସଂଯୋଗ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯାଇ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ମରାମତି ହୋଇପାରିନାହିଁ। ଏହାପରେ ଏଠାରେ ସୌରଶକ୍ତି ସାହାଯ୍ୟରେ ଜଳ ଯୋଗାଣ ପାଇଁ ସୋଲାର ପ୍ଲେଟ୍‌ ଲଗାଇ ଦିଆଗଲା। କିନ୍ତୁ ଏହା ସତ୍ତ୍ୱେ ଜଳ ଯୋଗାଣ ସୁଚାରୁ ରୂପେ ହୋଇପାରିଲା ନାହିଁ। ଏଣୁ ଏହି ଜଳ ଯୋଗାଣ କେନ୍ଦ୍ରକୁ ଯଥା ଶୀଘ୍ର ମରାମତି କରି ଜଳ ଯୋଗାଇବା ପାଇଁ ଗ୍ରାମବାସୀ ତ୍ରିନାଥ ମାଛ, ଯୋଗେଶ ଖିଲ, ରମେଶ ଖିଲ, କେଶବ ଖିଲ, ଦୟାନିଧି ଖରା ଦାବି କରିଛନ୍ତି।

Share