ମେଲବୋର୍ନ, ୧୪ା୬ (ପି.ଟି.)-ଆସନ୍ତା ସିଜନ ପାଇଁ ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପା ନ୍ୟୁ ସାଉଥ୍ ଓ୍ବେଲ୍ସ ସହ ଏକ ଚୁକ୍ତି କରିଛନ୍ତି। ଫଳରେ ଦୀର୍ଘ ୭ ବର୍ଷ ବ୍ୟବଧାନରେ ସେ ନିଜର ପୂର୍ବତନ କ୍ଲବକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏପର୍ଯ୍ୟନ୍ତ ସେ ସାଉଥ ଅଷ୍ଟ୍ରେଲିଆ ଦଳ ତରଫରୁ ଖେଳି ଆସୁଥିଲେ। ୨୮ ବର୍ଷୀୟ ଏହି ଖେଳାଳି ୨୦୧୨ରେ ନ୍ୟୁ ସାଉଥଓ୍ବେଲ୍ସ ଦଳ ସହିତ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଥିଲେ। ଦଳକୁ ପୁନଃ ପ୍ରତ୍ୟାବର୍ତ୍ତନ ଦ୍ୱାରା ବର୍ତ୍ତମାନ ସେ ନାଥାନ ଲିଅନ, ପ୍ୟାଟ୍ କୁମିନ୍ସ, ଜୋସ୍ ହାଜେଲଉଡ୍, ଷ୍ଟିଭ ସ୍ମିଥ୍, ମିଚେଲ ଷ୍ଟାର୍କ ଓ ଡେଭିଡ୍ ଓ୍ବାର୍ନରଙ୍କ ଭଳି ଟପ୍ କ୍ରିକେଟରଙ୍କ ସହ ଖେଳିବେ। ଜାମ୍ପା ଅଷ୍ଟ୍ରେଲିଆ ତରଫରୁ ଖେଳି ୩୩ ଅନ୍ତର୍ଜାତୀୟ ଟି୨୦ ଓ ୭୫ ଦିନିକିଆ ଉଇକେଟ ହାସଲ କରିସାରିଛନ୍ତି। ସାଉଥ ଅଷ୍ଟ୍ରେଲିଆ ଟିମ୍ରେ ଯୋଗଦାନ ପୂର୍ବରୁ ଜାମ୍ପା ନ୍ୟୁ ସାଉଥଓ୍ବେଲ୍ସ ତରଫରୁ ତିନୋଟି ଶିଫିଲ୍ଡ ଶିଲ୍ଡ ମ୍ୟାଚ ଏବଂ ୪ ଦିନିକିଆ ଲିଷ୍ଟ ଏ’ ମ୍ୟାଚ ଖେଳିଥିଲେ। ରେଡ୍ବ୍ୟାକ୍ସ ଦଳ ତରଫରୁ ସେ ୯୫ ଶିଫିଲ୍ଡ ଓ ୫୧ ଦିନିକିଆ ଉଇକେଟ ଅକ୍ତିଆର କରିଥିଲେ।