ସାତ ମାସ ହେଲା ମିଳିନି ଦରମା: ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକାଙ୍କୁ ବିରୋଧ; ସିଡିଏମ୍‌ଓ ଅଫିସରେ ତାଲା ପକାଇ ଧାରଣାରେ ବସିଲେ ଠିକା କର୍ମଚାରୀ

ପୁରୀ ଅଫିସ,୨୦।୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଶହେରୁ ଊର୍ଦ୍ଧ୍ୱ ଠିକା କର୍ମଚାରୀ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ଡିଏଚ୍‌ଏଚ୍‌ରେ ବିରୋଧ କରିଛନ୍ତି। ବୁଧବାର ଅପରାହ୍ନରେ ଠିକା କର୍ମଚାରୀମାନେ ସିଡିଏମ୍‌ଓ ଅଫିସ ଗେଟ୍‌ରେ ତାଲା ପକାଇ ବିରୋଧ କରିଥିଲେ। ପ୍ରାୟ ଅଧାଘଣ୍ଟା ଧରି ଧାରଣା ଜାରି ରହିବା ପରେ ଖବର ପାଇ ପୋଲିସ ଫୋର୍ସ ପହଞ୍ଚିବା ସହ ସିଡିଏମ୍‌ଓ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା।

ଡିଏଚ୍‌ଏଚ୍‌ରେ ଜେଡ୍‌ଏସ୍‌ଏସ୍‌ ଏବଂ ଆଉଟ୍‌ ସୋର୍ସିଂରେ ଶହେ ଜଣ ଠିକା କର୍ମଚାରୀ କାମ କରୁଛନ୍ତି। ଗତ ୭ ମାସ ହେଲା ସେମାନଙ୍କୁ ଦରମା ମିଳିନାହିଁ। ପୂର୍ବରୁ ସିଡିଏମ୍‌ଓ ଏବଂ ଖୋଦ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକାଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବୁଧବାର ନିର୍ଦ୍ଦେଶିକା ମେଡିକାଲ ଗସ୍ତରେ ଆସିଥିଲେ। ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା। କୌଣସି ସୁତ୍ରରୁ ଖବର ପାଇ କର୍ମଚାରୀମାନେ ପହଞ୍ଚି ତାଲା ପକାଇ ବିରୋଧ କରିଥିଲେ।

ଏନେଇ ପଚରାଯିବାରେ ସିଡିଏମ୍‌ଓ ନୀଳକଣ୍ଠ ମିଶ୍ର କୁହନ୍ତି, ଠିକା କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ, ରୋଗୀ କଲ୍ୟାଣ ସମିତି ବୈଠକରେ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ।

Share