Categories: ଜାତୀୟ

ସାଥୀ ଖୋଜିବାକୁ ୨ ହଜାର କିମି

ନୂଆଦିଲ୍ଲୀ, ୭।୩: ‘ବଞ୍ଜର ହୈ ସବ୍‌ ବଞ୍ଜର ହୈ। ହମ୍‌ ଢୁଣ୍ଡନେ ଜବ ଫିର୍ଦ୍ଦୋଷ ଚାଲେ। ତେରେ ଖୋଜ୍‌ ତଲାସ ମେଁ ଦେଖ୍‌ ପିୟା, ହମ୍‌ କିତନେ କାଲେ କୋଶ ଚାଲେ…’। ମହାନ୍‌ ସଙ୍ଗୀତକାର ଗୁଲ୍‌ଜାରଙ୍କ ରଚିତ ଏହି ଶାୟରୀକୁ ଆମେ ଶୁଣିବାକୁ ପାଇଥିଲେ ହିନ୍ଦୀ ଫିଲ୍ମି ‘ସାଥିୟଁା’ରେ, ଯାହାକୁ ନିଜର କଣ୍ଠରେ ସଜାଇଥିଲେ ଓସ୍କାର ବିଜେତା କଣ୍ଠଶିଳ୍ପୀ ଏ.ଆର୍‌. ରହମନ। ଏହି ଗୀତରେ ଭରି ରହିଛି ବିରହ ପ୍ରେମର ଯନ୍ତ୍ରଣା। ଏପରି ଏକ ବିରହୀ ବାଘର ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ଜୋର୍‌ ଧରିଛି ଚର୍ଚ୍ଚା। ଉକ୍ତ ମହାବଳ ବାଘ ସାଥୀ ଖୋଜିବାକୁ ୨୦୦୦ କିମି ପଥ ଅତିକ୍ରାନ୍ତ କରିଛି। ବାଙ୍ଗାଲୋରର ଜଣାଶୁଣା ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ପ୍ରବୀଣ କଶଓ୍ବାନ ଉକ୍ତ ବାଘର ଫଟୋ ଏବଂ ଏହାର କଷ୍ଟପୂର୍ଣ୍ଣ ଯାତ୍ରାର ଛାୟାଚିତ୍ରକୁ ନିଜର ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।
ଋତୁ ଅନୁଯାୟୀ ଜଟିଳ ପରିସ୍ଥିତିରୁ ମୁକୁଳିବାକୁ ପଶୁପକ୍ଷୀମାନେ ନିଜର ଆବାସସ୍ଥଳୀ ବଦଳାଇଥାନ୍ତି। ଏହାକୁ ମାଇଗ୍ରେଶନ ବା ଦେଶାନ୍ତର କୁହାଯାଏ। ଉକ୍ତ ବାଘ ମଧ୍ୟ ସାଥୀ ଖୋଜିବାରେ ୨୦୦୦ କିମି ଚାଲିଥିବା ପ୍ରବୀଣ ଉଲ୍ଲେଖ କରିଛନ୍ତି। ମହାରାଷ୍ଟ୍ରର ଟିପ୍ପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରୁ ନିଜର ଯାତ୍ରା ଆରମ୍ଭ କରିଥିବା ଉକ୍ତ ବାଘ ଏବେ ହିଙ୍ଗୋଲି ନିକଟ ଜ୍ଞାନଗଙ୍ଗା ଅଭୟାରଣ୍ୟରେ ପହଞ୍ଚତ୍ଛି। ନିଜର ଯାତ୍ରା ସମୟରେ ବାଘଟି ବିଲ, କେନାଲ, ଜଙ୍ଗଲ ରାସ୍ତା ଅତିକ୍ରମ କରିଛି। ସେ ଦିନ ତମାମ ବିଶ୍ରାମ ନେଉଥିବାବେଳେ ରାତିରେ ହିଁ ଚାଲୁଥିଲା। ହେଲେ ରାସ୍ତାରେ ବାଘଟି କାହାରି କୌଣସି କ୍ଷତି କରିନାହିଁ। କେବଳ ଜଣେ ଯୋଗ୍ୟ ସାଥୀ ପାଇବାକୁ ସେ ଏପରି ପରିଶ୍ରମ କରିଛି। ୨୦୧୯ ମାର୍ଚ୍ଚରେ ଉକ୍ତ ବାଘ ଦେହରେ ଭିଏଚ୍‌ଏଫ୍‌ ରେଡିଓ ଖଞ୍ଜାଯାଇଥିଲା। ଜିପିଏସ୍‌ ସହାୟତାରେ ତା’ ଉପରେ ଲଗାତର ନଜର ରଖାଯାଇଥିଲା। ତେବେ ବାଘକୁ ସାଥୀ ମିଳିଛି ନା ନାହିଁ ସେ ସମ୍ପର୍କରେ ପ୍ରବୀଣ କିଛି ଉଲ୍ଲେଖ କରିନାହାନ୍ତି।
ତେବେ ପ୍ରବୀଣ ସମ୍ପୂର୍ଣ୍ଣ ଘଟଣାକୁ ଶେୟାର କରିବା ପରେ ଟୁଇଟର ୟୁଜର ବାଘକୁ ନେଇ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ କହିଛନ୍ତି, ଏଠି ଲୋକେ ନେଟ୍‌ଫ୍ଲିକ୍ସର ପାସ୍‌ଓ୍ବାର୍ଡ ଦେଉନାହାନ୍ତି, ଅଥଚ ବାଘ ଏତେ ପରିଶ୍ରମ କରୁଛି। ଆଉ ଜଣେ ଲେଖିଛନ୍ତି, ସେ ବାଘୁଣୀ ବେଶ୍‌ ଭାଗ୍ୟବତୀ ହୋଇଥିବ। ଅନ୍ୟ ଜଣେ ଉଲ୍ଲେଖ କରିଛନ୍ତି, ବାଘମାନଙ୍କ ପାଇଁ ଟିଣ୍ଡର (ଡେଟିଂ ଆପ୍‌) ଲୋଡ଼ା। ସେ ଯାହା ହେଉନା କାହିଁକି, ସାଥୀ ଖୋଜିବାକୁ ବାଘର ଏପରି ଯାତ୍ରା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

Share